ରାଉରକେଲା : ଆଗାମୀ ବିଧାନସଭା ନିର୍ବାଚନରେ ଦିଲ୍ଲୀପ ରାୟ ରାଉରକେଲାରୁ ନିର୍ବାଚନ ଲଢ଼ି ପାରନ୍ତି।। କୋର୍ଟଙ୍କ ରାୟ ପରେ ଏହି ସମ୍ଭାବନା ବଢି ଯାଇଛି।
ରାଉରକେଲା : ୮/୪ (ସତ୍ୟାନ୍ୟୁଜ) ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କୁ ମିଳିଛି ଆଶ୍ୱସ୍ତି । ଶ୍ରୀ ରାୟ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଟିକେଟରେ ରାଉରକେଲାରୁ ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛ। କିଛିଦିନ ହେଲା ରାଉରକେଲାରେ ବିଭିନ୍ନ ସାମାଜିକ , ରାଜନୈତିକ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସେ ବେଶ ସକ୍ରିୟ ଥିଲେ। ଏହାକୁ ନେଇ ଆଗାମୀ ନିର୍ବାଚନରେ ଦିଲ୍ଲୀପ ରାଉରକେଲାରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଥିଲା। ମାତ୍ର ଆଇନ ଗତ କାରଣରୁ ଏହି ପ୍ରସଙ୍ଗ ଲଟକି ରହିଥିଲା। କୋଇଲା ଦୁର୍ନୀତି ମାମଲାରେ ଦିଲ୍ଲୀପ ୨୦୨୦ ଅକ୍ଟୋବର ୨୬ରେ ଟ୍ରାଏଲ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯିବା ଉପରେ ଦିଲ୍ଲୀ ହାଇକୋର୍ଟ ଆଜି ରହିତାଦେଶ ଜାରି କରିଛନ୍ତି । ଏହାପରେ ରାଉରକେଲାରୁ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ବିଜେଡି ରାଉରକେଲାରୁ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ନାମ ପୁଣି ଘୋଷଣା କରିଥିବା ବେଳେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ବିରେନ୍ଦ୍ର ନାଥ ପଟ୍ଟନାୟକଙ୍କ ନାଁ ଘୋଷଣା କରିଛି। ତେବେ ବିଜେପି ସୁନ୍ଦରଗଡ଼ ଜିଲ୍ଲାରେ ରାଉରକେଲାକୁ ଛାଡି ଅନ୍ୟ ଛଅଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଏବେ କୋର୍ଟଙ୍କ ରାୟ ପରେ ଏହି ଆସନରୁ ଦିଲ୍ଲୀପ ନିର୍ବାଚନ ଲଢ଼ିବା ନେଇ ସମ୍ଭାବନା ରହିଛି।
ଦିଲ୍ଲୀପଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସ୍ୱରନ କାନ୍ତ ଶର୍ମା ଶୁଣାଣି କରି ଏପ୍ରିଲ ୫ ତାରିଖରେ ତାଙ୍କର ରାୟକୁ ସଂରକ୍ଷିତ ରଖିଥିଲେ । ଆଜି ଏହି ରାୟ ପ୍ରକାଶ ପାଇଛି । ଦିଲ୍ଲୀ ହାଇକୋର୍ଟଙ୍କ ୱେବସାଇଟରେ ଏହି ରାୟ ଉଲ୍ଲେଖ ରହିଛି । ଦିଲ୍ଲୀପ ତାଙ୍କ ଆବେଦନରେ ନିର୍ବାଚନ ଲଢ଼ିବା ପାଇଁ ଇଚ୍ଛା ବ୍ୟକ୍ତ କରି ସିବିଆଇ କୋର୍ଟ ଦ୍ୱାରା ଦୋଷୀସାବ୍ୟସ୍ତ କରାଯିବା ଓ ଦଣ୍ଡାଦେଶ ଉପରେ ରହିତାଦେଶ ନିମନ୍ତେ ଅନୁରୋଧ କରିଥିଲେ।
ଜଷ୍ଟିସ ଶର୍ମା ତାଙ୍କ ରାୟରେ କହିଛନ୍ତି ଯେ, ଯଦି ଶ୍ରୀ ରାୟଙ୍କ ପ୍ରାର୍ଥନାକୁ ମଞ୍ଜୁର କରାନଯାଏ, ତା’ହେଲେ ସେ ନିର୍ବାଚନ ଲଢ଼ିବାର ସୁଯୋଗ ହରାଇ ବସିବେ । ଏହା ତାଙ୍କର ରାଜନୈତିକ କ୍ୟାରିୟରକୁ ପ୍ରଭାବିତ କରିବା ସହ ଅପୂରଣୀୟ କ୍ଷତି କରିବ। ତେଣୁ ରାୟ ଦୋଷୀ ସାବ୍ୟସ୍ତ ହେବାକୁ ନେଇ ରାୟ ଉପରେ କୋର୍ଟରେ ଚ୍ୟାଲେଞ୍ଜ କରିଥିବାରୁ ଟ୍ରାଏଲ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରାଯାଉଛି।
ଶ୍ରୀ ରାୟଙ୍କ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଓ ପ୍ରମୋଦ କୁମାର ଦୁବେ ମାମଲାର ପରିଚାଳନା କରୁଥିଲେ । ସିବିଆଇ ପକ୍ଷରୁ ବରିଷ୍ଠ ଆଡଭୋକେଟ୍ ଆରଏସ୍ ଚିମା ଓ ତରନ୍ନୁମ ଚିମା ହାଜର ହୋଇ ଶ୍ରୀ ରାୟଙ୍କ ଦୋଷୀ ସାବ୍ୟସ୍ତ ଉପରେ ରହିତାଦେଶ ଜାରିକୁ ବିରୋଧ କରିଥିଲେ ।
ଆବେଦନରେ ଦର୍ଶାଇଛନ୍ତି ଯେ, ଦିଲ୍ଲୀପ ରାୟଙ୍କ ବିରୁଦ୍ଧରେ ଚାଲିଥିବା ମାମଲାରେ ଶୀଘ୍ର ରାୟ ଆସିବାର ଆଶା କ୍ଷୀଣ । ଲୋକପ୍ରତିନିଧି ଆଇନର ଧାରା ୮(୩) ଅନ୍ତର୍ଗତ ୩ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବାରୁ ସେ ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିପାରିବେ ନାହିଁ କିମ୍ବା ରାଜ୍ୟସଭାକୁ ମନୋନୀତ ହୋଇପାରିବେ ନାହିଁ । ଦିଲ୍ଲୀପ ଏବେ ୭୧ବର୍ଷ ବୟସର ହେଲେଣି । ଯଦି ଏସବୁ ମାମଲାରେ ରାୟ ଆସିବାରେ ବିଳମ୍ବ ହୁଏ ତା’ହେଲେ ତାଙ୍କର ଅପୂରଣୀୟ କ୍ଷତି ହେବାର ସମ୍ଭାବନା ରହିଛି ବୋଲି ତାଙ୍କ ଆବେଦନରେ ଦର୍ଶାଇଥିଲେ ।
କୋର୍ଟଙ୍କ ରାୟ ପରେ ଏ ବାବଦରେ ଦିଲ୍ଲୀପ ରାୟଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।