ମୟୁରଭଞ୍ଜ : ସ୍କୁଲ ଛାତରୁ ପ୍ଲାଷ୍ଟର ଖସି ଛାତ୍ର ଗୁରୁତର।। ହସ୍ପିଟାଲରେ ଭର୍ତ୍ତି କଲେ ବିଦ୍ୟାଳୟ କର୍ତ୍ତୃପକ୍ଷ।

0 332

ମୟୁରଭଞ୍ଜ : ୭/୪ (ସତ୍ୟାନ୍ୟୁଜ) ମଧ୍ୟାହ୍ନ ଭୋଜନ କରୁଥିବା ସମୟରେ ବିଦ୍ୟାଳୟ ଛାତରୁ ପ୍ଳାଷ୍ଟର ଖସି ପଡିବାରୁ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି l ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଧୀନ ସାନମୁଣ୍ଢାବଣି ପଞ୍ଚାୟତର ସରାଶୋଳ ଗ୍ରାମ ଗାଲୁସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ।
ସୂଚନା ମୁତାବକ ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ମୋଟ ୨୬ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି l
ତେବେ ସକାଳୁଆ ସ୍କୁଲ ହୋଇଥିବାରୁ ଆଜି ନଅଟା ସମୟରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ବାରଣ୍ଡାରେ ମଧ୍ୟାହ୍ନ ଭୋଜନ କରୁଥିଲେ। ଏହି ସମୟରେ ହଠାତ ବିଦ୍ୟାଳୟ ଛାତରୁ ପ୍ଳାଷ୍ଟର ଖସି ପଡିଥିଲା l ଫଳରେ ଛାତ୍ରଛାତ୍ରୀ ମାନେ ଦୌଡ଼ି ପଳାଇଥିଲ। ମାତ୍ର ତୃତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଗୋବିନ୍ଦ ହେମ୍ବ୍ରମଙ୍କ ମୁଣ୍ଡ ଉପରେ ପ୍ଲାଷ୍ଟର ଖସି ପଡିବାରୁ ସେ ଗୁରୁତର ଆହତ ହୋଇଥିଲେ l ଗୁରୁତର ଛାତ୍ରଙ୍କୁ ତୁରନ୍ତ ମୋରଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଛାତ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି l

ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ନୂତନ ଏକ ବିଲଡିଂ ନିର୍ମାଣ ନହେବା ପର୍ଯ୍ୟନ୍ତ ପିଲାଙ୍କୁ ବିଦ୍ୟାଳୟକୁ ଯିବାକୁ ଦିଆଯିବ ନାହିଁ ଏବଂ ଉକ୍ତ ଘଟଣା ପାଇଁ ପଂଚାୟତ ପ୍ରଶାସନ, ଶିକ୍ଷା ବିଭାଗ ଦାୟୀ ବୋଲି କହିଛନ୍ତି ୱାର୍ଡ ସଦସ୍ୟ ବିଶ୍ୱନାଥ ମୁର୍ମୁ, ଅଭିଭାବକ ସୀତା ହେମ୍ବ୍ରମ, କିସୁନ ହାଁସଦା, କଟି ହେମ୍ବ୍ରମ ଏବଂ ନାରାୟଣ ହେମ୍ବ୍ରମ l ତେବେ ପୂର୍ବରୁ ପଂଚାୟତ ପ୍ରଶାସନକୁ ଅସରୁକ୍ଷିତ ବିଦ୍ୟାଳୟ ବାବଦରେ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି କହିଛନ୍ତି ସହକାରୀ ଶିକ୍ଷକ ରାଙ୍ଗା ମୁର୍ମୁ l
ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ଗୁଡ଼ିକର ଭିତ୍ତିଭୂମିରେ ବିକାଶ କରିବା ପାଇଁ ଗୁରୁତ୍ୱ ପ୍ରଦାନ କରୁଥିବା ବେଳେ ଏଠାରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅନ୍ୟପଟେ ସ୍କୁଲ ବିଲଡିଂ ଅସୁରକ୍ଷିତ ବୋଲି ଜଣାଇଥିଲେ ମଧ୍ୟ ଗୁରୁତ୍ୱ ଦିଆନଯାଇ ପିଲାଙ୍କ ଜୀବନ ବିପଦ ମୁହଁକୁ ଠେଲିଦେଇ ନିରବଦ୍ରଷ୍ଟା ସାଜିଥିବା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଆଲୋଚନା ହେଉଛି।ଆଜିର ଏହି ଅଭାବନୀୟ ଘଟଣାକୁନେଇ ଅଭିଭାକ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି।

ମୟୁରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave A Reply

Your email address will not be published.