ରାଉରକେଲା : ରାଉରକେଲା କଂଗ୍ରେସ ଦଳରେ ପ୍ରାର୍ଥୀ ଚୟନକୁ ନେଇ ବିଦ୍ରୋହ।। ଜିଲ୍ଲା କଂଗ୍ରେସର ଜରୁରୀ ବୈଠକରେ ଅସନ୍ତୋଷ ବ୍ୟକ୍ତ କଲେ ବରିଷ୍ଠ ନେତା।
ରାଉରକେଲା : ୪/୪ (ସତ୍ୟାନ୍ୟୁଜ) ରାଉରକେଲା ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ ଚୟନ କୁ ନେଇ କଂଗ୍ରେସ ଦଳରେ ବିଦ୍ରୋହ ଦେଖା ଦେଇଛି। ଚଳିତ ବିଧାନସଭା ନିର୍ବାଚନ ପାଇଁ ବି ଏନ ପଟ୍ଟନାୟକଙ୍କୁ ରାଉରକେଲାରୁ କଂଗ୍ରେସ ଟିକେଟ ଦିଆ ଯାଇଥିବା ଘୋଷଣା ପରେ କର୍ମୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ଏ ବାବଦରେ ଗୁରୁବାର ଦିନ ଏକ ବୈଠକ ଡକା ଯାଇଥିଲା। ରାଉରକେଲା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଘୋଷଣା କରା ଯାଇଥିବା ପ୍ରାର୍ଥୀ ବିରେନ୍ଦ୍ର ନାଥ ପଟ୍ଟନାୟକଙ୍କୁ ତୀବ୍ର ବିରୋଧ କରାଯାଇଥିଲା।
ଶ୍ରୀ ପଟ୍ଟନାୟକ ୧୦ ବର୍ଷ ପୂର୍ବରୁ କଂଗ୍ରେସ ଦଳ ଛାଡି ବିଜେଡିରେ ଯୋଗ ଦେଇଥିଲେ। ଏବେ ପୁଣି କଂଗ୍ରେସରେ ଯୋଗଦେବା ପରେ ତାଙ୍କୁ ଟିକେଟ ମିଳିବା ନେଇ କର୍ମୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କର୍ମୀ ମାନେ ନିଜର ଅସନ୍ତୋଷ ନେଇ ରାଜ୍ୟ କଂଗ୍ରେସ ସଭାପତିଙ୍କୁ ପୋଷ୍ଟ କାର୍ଡ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି। ଆଜିକାର ବୈଠକରେ ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ , ପିସିସି ସମ୍ପାଦକ ବିରେନ୍ ସେନାପତି , ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର , କଂଗ୍ରେସ ନେତା ଦେବବ୍ରତ ବିହାରୀଙ୍କ ସମତ ଶତାଧିକ କର୍ମୀ ଯୋଗ ଦେଇଥିଲେ। ରାଉରକେଲା ନିର୍ବାଚନ ମଣ୍ଡଳୀରେ ଗତ ଦୁଇଟି ନିର୍ବାଚନରେ କଂଗ୍ରେସର ଭୋଟ ହାର ବେଶ କମିଛି। ଏହି ସମୟରେ ପ୍ରାର୍ଥୀ ଚୟନ କୁ ନେଇ ଦଳରେ ବିଦ୍ରୋହ ଆଗାମୀ ଦିନରେ ଦଳ।ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।