୫୦ ହଜାରରେ ଶିଶୁପୁତ୍ରକୁ ବିକିଦେଲା ମା
ରାଉରକେଲା:୧୪/୧୦
(ସତ୍ୟାନ୍ୟୁଜ) ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ବ ଦେଉଥିବା ସୁନ୍ଦରଗଡ଼ ଜିଲ୍ଲାର ଖଣି ଅଞ୍ଚଳ କୋଇଡାର ସ୍ଥିତି ଏପରି କାହିଁକି ଅଛି ତାହା କେହି ବୁଝି ପାରୁ ନାହାଁନ୍ତି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠି ଓ ସରକାରଙ୍କ ସମସ୍ତ ଯୋଜନା ଏଠାରେ ବସ୍ତିବାସିନ୍ଦାଙ୍କ ପାଇଁ ପ୍ରହସନ ପାଲଟିଛି। ଆର୍ଥିକ ଅନାଟନ ସହି ନ ପାରି ଭୁଲି ଯାଉଛନ୍ତି ପାରିବାରିକ ସେହ୍ନ , ମମତା। ନିଜ ଜନ୍ମକଲା ପୁଅକୁ ମାତ୍ର କେଇ ଟଙ୍କା ଅନ୍ୟ ହାତକୁ ଟେକି ଦେବା ଭଳି କରୁଣ ଚିତ୍ର ସାମ୍ନାକୁ ଆସିଛି ଜିଲ୍ଲାରେ।
ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଳକ ଅନ୍ତର୍ଗତ ପାଟମୁଣ୍ଡା ହାଟିଙ୍ଗର ଜଣେ ମହିଳା ନିଜ ଶିଶୁପୁତ୍ର କୁ ମାତ୍ର ୫୦ ହଜାର ଟଙ୍କାରେ ବିକ୍ରି କରି ଦେଇଛନ୍ତି। ଏବେ ଧରାପଡ଼ିବା ଭୟରେ ସେ ନିଜେ ଘର ଛାଡ଼ି କୁଆଡ଼େ ପଳେଇଛନ୍ତି। ତେବେ, ଘଟଣା ସାମ୍ନାକୁ ଆସିବା ପରେ କୋଇଡ଼ା ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେ କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ଉଦବେଗଜନକ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ତଦନ୍ତ କରିବାକୁ ଟିମ୍ ଗଠନ କରା ଯାଇଛି। ଖୁବ୍ଶୀଘ୍ର ଶିଶୁପୁତ୍ର ଫେରାଇ ଆଣିବାକୁ ଚେଷ୍ଟା କରାଯାଉଛି।
ମିଳିଥିବା ସୂଚନା ଅନୁସାରେ, ପାର୍ବତୀ ଲୁଗୁନ ଗର୍ଭବତୀ ହେବା ପରେ ଗତ ଅଗଷ୍ଟ ୮ ତାରିଖରେ କୋଇଡ଼ାର ମା’ ଗୃହକୁ ଆସିଥିଲେ। କିଛି ଦିନ ଚିକିତ୍ସା ହେବା ପରେ ପ୍ରସବ ପାଇଁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଯାଇଥିଲା। ଆର୍ଜିଏଚ୍ରେ ଗତ ୩୧ ଅଗଷ୍ଟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ପରଦିନ ଡାକ୍ତରଖାନାରୁ ଡିସ୍ସାର୍ଜ ହୋଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ଶିଶୁ ପୁତ୍ରକୁ ଘରକୁ ନ ନେଇ ବାଟରେ ବିକ୍ରି କରିଦେଇଥିଲେ। ୫୦ ହଜାର ଟଙ୍କାର ଡିଲ୍ ହୋଇଥିଲା। ପ୍ରଥମ କିସ୍ତିରେ ସମ୍ପୃକ୍ତ ବ୍ୟକ୍ତିଙ୍କଠୁ ୨୫ ହଜାର ଟଙ୍କା ନେଇଥିଲେ। ଘରେ ପହଞ୍ଚିବା ପରେ ଆଶା ଦିଦି ମାଗଦାଲି ନାଏକ ପାର୍ବତୀଙ୍କୁ ଛୁଆ କୁଆଡ଼େ ଗଲା ବୋଲି ପଚାରିଥିଲେ। ହେଲେ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ। ସେମିତି ଅଙ୍ଗନବାଡ଼ିକର୍ମୀ ଶକୁନ୍ତଳା ଦାସ ଶିଶୁକୁ ଟିକା ଦେବାକୁ ଜଣାଇବାକୁ ପାର୍ବତୀଙ୍କ ଘରକୁ ଯାଇଥିଲେ। ସେଠାରେ ଶିଶୁଟି ନଥିବାରୁ ତାଙ୍କର ମଧ୍ୟ ସନ୍ଦେହ ହୋଇଥିଲା। ଆଶାଦିଦି ମାଗଦାଲି ଏ ସମ୍ପର୍କରେ ସିଡିପିଓ ଅନିତା ସାହୁଙ୍କୁ ଜଣାଇଥିଲେ। ପରେ ସିଡିପିଓ ଓ ଅନ୍ୟ ଅଧିକାରୀ ମାନେ ଘରେ ପହଞ୍ଚି ପଚରାଉଚରା କରିବାରୁ ପାର୍ବତୀ ଛୁଆ ବିକ୍ରି କଥାକୁ ସ୍ବୀକାର କରିଥିଲେ। ରାଉରକେଲାରେ କାହାକୁ ବିକ୍ରି କରିଛ ବୋଲି ପଚରା ଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନଥିଲେ। ଅଧିକାରୀମାନେ ସେଠାରୁ ଆସିବା ପରେ ପାର୍ବତୀ ଧରାପଡ଼ିବା ଭୟରେ ଘର ଛାଡ଼ି କେଉଁଆଡ଼େ ଫେରାର ହୋଇଯାଇଛନ୍ତି। ତାଙ୍କ ସ୍ବାମୀ ମଧ୍ୟ କେଉଁଆଡ଼େ ଚାଲିଯାଇଛନ୍ତି। ପାର୍ବତୀଙ୍କ ଶାଶୁ ଓ ତାଙ୍କର ଚାରି ସନ୍ତାନ ପାଟମୁଣ୍ଡାସ୍ଥ ଝାଟିମାଟି ଘରେ ମା’ର ଫେରିବା ବାଟକୁ ଚାହିଁ ରହିଛନ୍ତି।