ସୁନ୍ଦରଗଡ: ୨/୩ (ସତ୍ୟାନ୍ୟୁଜ)
ଆଜି ସୁନ୍ଦରଗଡ଼ ସମେତ ରାଜ୍ୟ ର ୫ ଟି ମେଡିକାଲ କଲେଜ ଓ ହସ୍ପିଟାଲ କୁ ଉଦଘାଟନ କରିଛନ୍ତି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ ମାଧ୍ୟମ ରେ ଏହା କୁ ଉଦଘାଟନ କରିଥିବା ବେଳେ ଏହି ଅବସରରେ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ , ଅତିରିକ୍ତ ଜିଲ୍ଲାପାଳ , ସିଡିଏମଓ, ମେଡିକାଲ କଲେଜ ଡିନ ଙ୍କ ସହିତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ରାଜଗାଙ୍ଗପୁର ବିଧାୟକ ଡ଼ା ସି ଏସ ରାଜନ ଏକ୍କା , ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ପଦ୍ମଶ୍ରୀ ଡା ଦିଲୀପ ତିର୍କି , ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଶାନ, ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂ, ବିନୟ ଟପ୍ପୋ ପ୍ରମୁଖ ଉପସ୍ଥିତ ରହିଥିଲେ।
ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ତଥା ଏହାର ଆଖପାଖ ଜିଲ୍ଲାର ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଆଧୁନିକ ଭିତ୍ତିଭୂମିର ନିର୍ମାଣ କରାଯାଇଛି। ୨୦୧୪ ମସିହାରେ ଏନଟିପିସି ପକ୍ଷରୁ ୪୧୭.୭୭ କୋଟି ଟଙ୍କା ବ୍ୟୟରେ ସୁନ୍ଦରଗଡ଼ ଠାରେ ୨୧ ଏକର ଜମିରେ ଏକ ଅତ୍ୟାଧୁନିକ ହସ୍ପିଟାଲ ନିର୍ମାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଆଜ ଏହି ୫୦୦ ଶଯ୍ୟା ବିଶିଷ୍ଟ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ ର ଭର୍ଚୁଆଲ ମଧ୍ୟମରେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୧୩ ଜଣ ଡାକ୍ତର ଓ ୧୯୦ ରୁ ଅଧିକ ନର୍ସ ରହିଛନ୍ତି । ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ଉପରେ ସୁନ୍ଦରଗଡ଼ ଜିଲ୍ଲା ସହିତ ପଡୋଶୀଜିଲ୍ଲା ଓ ପଡୋଶୀ ରାଜ୍ୟ ଛତିଶଗଡ଼ ଓ ଝାରଖଣ୍ଡ ର ଲୋକେ ନିର୍ଭର କରିଥାନ୍ତି । ସରକାରୀ କଲେଜ ଓ ହସ୍ପିଟାଲ ଉଦଘାଟନ ହେବା ପରେ ଅଧିକ ଲୋକେ ଉପକୃତ ହୋଇପାରିବେ ।