ରାଉରକେଲା ୨୮/୨/(ସତ୍ୟାନ୍ୟୁଜ) ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଚଳିତ ବର୍ଷ ମାର୍ଚ୍ଚ ୮ ରେ ମହାଶିବରାତ୍ରୀ ବଡ଼ ଆଡ଼ମ୍ବର ସହକାରରେ ପାଳନ କରାଯିବ। ଏ ନେଇ ବେଦବ୍ୟାସ ଟ୍ରଷ୍ଟ ବୋର୍ଡ, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମହାଶିବରାତ୍ରୀ ଉପଲକ୍ଷେ ବେଦବ୍ୟାସ ପୀଠରେ ପ୍ରସିଦ୍ଧ ବେଦବ୍ଯାସ ମେଳା ମଧ୍ୟ ୮ ମାର୍ଚ୍ଚ ରୁ ୧୭ ମାର୍ଚ୍ଚ ପର୍ଯ୍ଯନ୍ତ କରାଯିବ ା ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ଅନୁଷ୍ଠିତ ମହାଶିବରାତ୍ରି ପ୍ରସ୍ତୁତି ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ଏହି ବୈଠକର ଅଧ୍ୟକ୍ଷତା କରିଥିଲେ ା
ମହାଶିବରାତ୍ରୀ ପାଇଁ ବେଦବ୍ୟାସ ପୀଠରେ ପ୍ରତିବର୍ଷ ୧୫ ଦିନ ଧରି ମେଳା ଆୟୋଜନ କରାଯାଉଥିଲା। ଚଳିତ ବର୍ଷ ଏହି ଅବଧିକୁ ଆଗାମୀ ନିର୍ବାଚନ କୁ ଧ୍ୟାନର ରଖି ୧୦ ଦିନ କରାଯାଇଛି। ମାର୍ଚ୍ଚ ୮ରୁ ଆରମ୍ଭ ହୋଇ ଏହି ମେଳା ମାର୍ଚ୍ଚ ୧୭ ତାରିଖ ଯାଏଁ ଚାଲିବ।
ମେଳାରେ ଟ୍ରାଫିକ ପରିଚାଳନା ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଆବଶ୍ଯକ ପୋଲିସ ଫୋର୍ସଙ୍କ ସହ ସିଭିଲ
ଡିଫେନ୍ସର ସ୍ବେଚ୍ଛାସେବୀ ଙ୍କୁ ମଧ୍ୟ ନିୟୋଜିତ କରାଯିବ। ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖି ରାଉରକେଲା ଅଗ୍ନିଶମ ବିଭାଗ ପକ୍ଷରୁ ମେଳାରେ କଣ୍ଟ୍ରୋଲ ରୁମ୍ ଖୋଲାଯିବ। ୩୫ ଜଣ ଅଗ୍ନିଶମ କର୍ମଚାରୀଙ୍କ ସହ କୁଇକ୍ ରେସପନ୍ସ ଟିମ୍ ଏବଂ ରବର ବୋର୍ଟ ମହଜୁଦ ରଖାଯିବ।
ସେହିପରି ନଦୀ ଘାଟ ଏବଂ ବେଦବ୍ୟାସ ମନ୍ଦିର ନିକଟରେ ବ୍ୟାରିକେଡ୍ କରିବାକୁ ପ୍ରଶାସନ ପକ୍ଷରୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମେଳା ଚାଲିଥିବା ସମୟରେ ମନ୍ଦିରା ଡ୍ୟାମରୁ ବ୍ରାହ୍ମଣୀ ନଦୀକୁ ପାଣି ନଛାଡ଼ିବା ଲାଗି ଅଧିକାରୀମାନଙ୍କୁ କୁହାଯାଇଛି।
ବେଦବ୍ୟାସ ପୀଠରେ ହେବାକୁ ଥିବା ମେଳାରେ ଲୋକମାନଙ୍କ ସୁବିଧା ପାଇଁ ପାନୀୟ ଜଳ ବ୍ୟବସ୍ଥା କରିବାକୁ ୱାଟକୋ ଏବଂ ରାଉରକେଲା ମହାନଗର ନିଗମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ନିରବଚ୍ଛିନ୍ନ ବିଦ୍ୟୁତ ସେବା ଲାଗି ଟିପିଡବ୍ଲୁଓଡିଏଲ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ମେଳାରେ ଅସ୍ଥାୟୀ ଚିକିତ୍ସା ଶିବିର ସହ ମେଡିକାଲ ଷ୍ଟାଫ ଓ ୨ଟି ଆମ୍ବୁଲାନ୍ସ ମହଜୁଦ୍ ରଖାଯିବ। ଏହାସହ ମେଳା ଏବଂ ମନ୍ଦିର ପରିସରକୁ ନିୟମିତ ସଫା ରଖିବା ଲାଗି ପ୍ରଶାସନ ପକ୍ଷରୁ କୁହାଯାଇଛି। ମେଳାରେ ଆଲୋକୀକରଣ, ବେଦବ୍ୟାସ ମନ୍ଦିରର ସାଜସଜ୍ଜା ଉପରେ ବିଶେଷ ଗୁରୁତ୍ୱ ଦେବା ଲାଗି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ବୈଠକରେ ଉପଜିଲ୍ଲାପାଳ ପାନପୋଷ ବିଜୟ ନାୟକ, ଆରଡିଏ ସଚିବ ଚନ୍ଦ୍ରକାନ୍ତ ମଲ୍ଲିକ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ା ବେଦବ୍ୟାସ ଦେବୋତ୍ତର ଟ୍ରଷ୍ଟବୋର୍ଡର ପ୍ରମୋଦ ପ୍ରଧାନ ବୈଠକର ଆଭିମୁଖ୍ଯ ରଖିଥିବା ବେଳେ ରାଜେଶ ଗର୍ଗ ଧନ୍ୟବାଦ ଅର୍ପଣ କରିଥିଲେ ା