ରାଉରକେଲା : ୨୯/୧୨ (ସତ୍ୟାନ୍ୟୁଜ) ଜଣେ ୧୮ ବର୍ଷୀୟା ବାଳିକାକୁ ପେଟ୍ରୋଲ ଢାଳି ପୋଡି ମାରି ଦେବାର ସଙ୍ଗୀନ ଅଭିଯୋଗ ରାଉରକେଲା ବିଶ୍ରା ଥାନାରେ ହୋଇଛି। ପୋଲିସ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି। ସାଇଣ୍ଟିଫିକ୍ ଟିମ୍ ସହ ବିଶ୍ରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ତଦନ୍ତ ବେଳେ ଘଟଣା ସ୍ଥଳରୁ ପେଟ୍ରୋଲ ସହ ଅନ୍ୟ କେତେକ ସାମଗ୍ରୀ ପୋଲିସ ଜବତ କରିଛି।
ମିଳିଥିବା ସୂଚନା ଅନୁଯାୟୀ ହାତିବାରୀ ଥାନା ଅଞ୍ଚଳର ଜଣେ ଝିଅ ୧୮ ତାରିଖ ଦିନ ବିଶ୍ରା ଥାନା ଅଞ୍ଚଳର ପିତଲ ଗାଁରେ ରହୁଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। କୌଣସି କାରଣରୁ ସେଠାରେ ସେ ପୋଡି ହୋଇ ଯାଇ ଗୁରୁତର ଆହତ ହୋଇଥିଲେ। ସନ୍ଧ୍ୟାରେ ତାଙ୍କ ସମ୍ପର୍କୀୟ ରଘୁ ସିଂ ଉକ୍ତ ଝିଅକୁ ନେଇ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କ ବାପାଙ୍କ ପାଖରେ ଭୋଜପୁର ଗାଁ ରେ ଛାଡି ଦେଇଥିଲେ। ଉକ୍ତ ଝିଅଙ୍କ ବାପା ଗୁରୁତର ଅବସ୍ଥାରେ ଥିବା ତାଙ୍କ ଝିଅକୁ ନେଇ ରାଉରକେଲା ସରକାରୀ ହସ୍ପିଟାଲ ଯାଇଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜେପି ହସ୍ପିଟାଲ ପଠା ଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ଝିଅ ୨୭ ଡିସେମ୍ବର ରାତିରେ ମୃତ୍ୟୁ ବରଣ କରିଥିଲେ। ନିଜ ଝିଅର ମୃତ୍ୟୁ ପରେ ତାଙ୍କ ବାପା ବିଶ୍ରା ଥାନାରେ ଝିଅକୁ ପୋଡି ମାରି ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି। ପୋଲିସ ଝିଅର ବାପାଙ୍କ ଅଭିଯୋଗ ପରେ ରଘୁ ସିଂ ଏବଂ ତାଙ୍କ ପୁଅକୁ ଅଟକ ରଖି ତଦନ୍ତ କରୁଛନ୍ତି। ଏହି ଘଟଣା ନୂଆଗାଁ , ବିଶ୍ରା , ହାତିବାରୀ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୋଷ୍ଟମର୍ଟମ ପରେ ଝିଅର ଶବ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।