ରାଉରକେଲା : ନାବାଳିକାକୁ ଗର୍ଭବତୀ କରି ବେଆଇନ ପ୍ରସବ କରାଇବା ଅଭିଯୋଗରେ ୪ ଗିରଫ।। ଅନ୍ୟ ଜଣେ ଅଭିଯୁକ୍ତ ଡାକ୍ତରଙ୍କୁ ପୋଲିସ ଖୋଜୁଛି।

0 803

ରାଉରକେଲା : ୨୮/୧୨ (ସତ୍ୟାନ୍ୟୁଜ)
ଜଣେ ନାବାଳିକାକୁ ଗର୍ଭବତୀ କରି ବେଆଇନ ପ୍ରସବ କରାଇବା ଅଭିଯୋଗରେ ୪ ଜଣଙ୍କୁ ବିଶ୍ରା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫଙ୍କ ମଧ୍ୟରେ ଅଭିଯୁକ୍ତ ସଞ୍ଜିତ ମହାନ୍ତ , ବିଶ୍ରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ସନତ ମହାନ୍ତି , ରାଉରକେଲାର ଏକ ଘରୋଇ ନର୍ସିଂ ହୋମର ମ୍ୟାନେଜର ସଞ୍ଜୟ ପଣ୍ଡା , ଅଭିଯୁକ୍ତ ସଞ୍ଜିତର ସମ୍ପର୍କୀୟ ମହାବୀର ମହାତୋ ଅଛନ୍ତି। ନବଜାତ ଶିଶୁ କନ୍ୟାକୁ ପୋଲିସ ଏବଂ ଶିଶୁ ବିକାଶ ସମିତି ଜଣେ ଡାକ୍ତରଙ୍କ ଘରୁ ଉଦ୍ଧାର କରିଛନ୍ତି। ଏହି ଘଟଣାରେ ବେଆଇନ ଭାବେ ପ୍ରସବ କରାଇ ନିଜ ଘରେ ନବଜାତ ଶିଶୁ କନ୍ୟାକୁ ରଖିବା ଅଭିଯୋଗରେ ଉକ୍ତ ଡାକ୍ତରଙ୍କୁ ପୋଲିସ ଖୋଜୁଛି।
ମିଳିଥିବା ସୂଚନା ଅନୁଯାୟୀ ଜରେଇକେଲା ଅଞ୍ଚଳର ଜଣେ ଯୁବକ ସଞ୍ଜିତ ମାହାତୋ ଜଣେ ନାବାଳିକା ସହ ସମ୍ପର୍କ ରଖି ଗର୍ଭବତୀ କରିଥିଲେ। କଥା ପ୍ରଘଟ ହେବା ଭୟରେ ସଞ୍ଜିତ ନାବାଳିକାଙ୍କ ଗର୍ଭପାତ କିମ୍ବା ପ୍ରସବ କରାଇବାକୁ ବିଶ୍ରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ସନତ ମହାନ୍ତିଙ୍କୁ ଯୋଗାଯୋଗ କରିଥିଲେ। ସନତ ସଞ୍ଜିତଙ୍କୁ ରାଉରକେଲାର ଏକ ଘରୋଇ ହସ୍ପିଟାଲ ସୁଧା ନର୍ସିଂ ହୋମ କୁ ପଠାଇଥିଲେ। ସେଠାରେ ଥିବା ମ୍ୟାନେଜର ସଞ୍ଜୟ ପଣ୍ଡାଙ୍କ ସହ କଥାବାର୍ତ୍ତା ପରେ ନାବାଳିକା ଜଣଙ୍କୁ ଉକ୍ତ ନର୍ସିଂ ହୋମରେ ଭର୍ତ୍ତି କରାଇଥିଲେ। ପରେ ଡାକ୍ତର ବର୍ମାଙ୍କ ଦ୍ୱାରା ଉକ୍ତ ନାବାଳିକଙ୍କ ଡେଲିଭରି କରାଯାଇଥିଲା। ନାବାଳିକା ଜଣକ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ମାତ୍ର ସମସ୍ତେ ମିଶି ତାଙ୍କର ଗର୍ଭପାତ ହୋଇଗଲା ବୋଲି ନାବାଳିକାଙ୍କୁ କହିଥିଲେ। ପରେ ଉକ୍ତ ଡାକ୍ତର ନବଜାତ ଶିଶୁକନ୍ୟାକୁ ନେଇ ନିଜ ଘରେ ରଖିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଏବଂ ଚାଇଲଡ଼ ୱେଲଫେୟାର କମିଟି ଶିଶୁ କନ୍ୟାକୁ ଉକ୍ତ ଡାକ୍ତରଙ୍କ ଘରୁ ଉଦ୍ଧାର କରିଥିଲେ। ବେଆଇନ ଭାବେ ଡେଲିଭରି କରାଇବା ଏବଂ ଶିଶୁକୁ ରଖିବା ଅଭିଯୋଗରେ ଏବେ ପୋଲିସ ଉକ୍ତ ଡାକ୍ତରଙ୍କୁ ଖୋଜୁଛି। ଶିଶୁ ମଙ୍ଗଳ ସମିତି ଏବଂ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.