ରାଉରକେଲା : ଦେବଗଡ଼ରୁ ୬ ବର୍ଷର ଶିଶୁ କନ୍ୟା ଅପହରଣ ଘଟଣାରେ ୪ ଗିରଫ।। ଅପହରଣରେ ବ୍ୟବହୃତ କାର ଏବଂ ବାଇକ୍ ଜବତ।

0 656

ରାଉରକେଲା : ୨୪/୧୨ ସୁନ୍ଦରଗଡ ବଡ଼ଗାଁରୁ ଉଦ୍ଧାର ହୋଇଥିବା ଦେବଗଡ଼ର ୬ ବର୍ଷର ଶିଶୁ କନ୍ୟା ପିହୁ ଅଗ୍ରୱାଲ ଅପହରଣ ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କଠାରୁ ଅପହରଣରେ ବ୍ୟବହାର ହୋଇଥିବା ୨ଟି ବାଇକ୍ ଓ ଗୋଟିଏ କାର୍ ମଧ୍ୟ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଦେବଗଡ଼ ଥାନା ନୂଆଗାଁର ହିମାଂଶୁ ନାରଙ୍ଗ , ବଲଣ୍ଡାର ରୋହିତ ପାତ୍ର , ଜରେକେଲାର ମହେଶ୍ୱର ସଗଡ଼ିଆ ଏବଂ ମେଣ୍ଢିପାଲିର ଦୀପକ ନାଏକ । ଏହି ଅପହରଣ ଘଟଣାର ମାଷ୍ଟର ମାଇଣ୍ଡ ହିମାଂଶୁ ନାରଙ୍ଗ ବୋଲି ପୁଲିସ ତଦନ୍ତରୁ ଜଣାପଡିଛି।
ଟଙ୍କା ପାଇଁ ଏହି ଅପହରଣ କରା ଯାଇଥିଲା। ଅପହରଣରେ ସଫଳ ହୋଇଥିଲେ ଅଭିଯୁକ୍ତମାନେ ୨ କୋଟି ଟଙ୍କା ଦାବି କରିଥା’ନ୍ତେ ବୋଲି ପୁଲିସ୍ ତଦନ୍ତ ସମୟରେ ଜାଣିବାକୁ ପାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସପି ପ୍ରଦ୍ୟୁମ୍ନ କୁମାର ମିଶ୍ର କହିଛନ୍ତି।

ଗତ ଡିସେମ୍ବର ୧୮ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଦେବଗଡ଼ ସହରର କପଡ଼ା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କର ୬ ବର୍ଷର ଶିଶୁ କନ୍ୟା ପିହୁଙ୍କୁ ଘର ପାଖରୁ ଅପହରଣ କରାଯାଇଥିଲା। ଟ୍ୟୁସନ୍‌ ଶେଷ ହେବା ପରେ ପିହୁ ତାଙ୍କ ଜେଜେମାଙ୍କ ସହ ଘରକୁ ଫେରୁଥିବା ବେଳେ ବାଇକରେ ଆସି ଦୁଇ ଜଣ ଅଭିଯୁକ୍ତ ତାଙ୍କୁ ଉଠାଇ ନେଇଥିଲେ। ଘର ଠାରୁ ମାତ୍ର ୫୦ ମିଟର ଦୂରରୁ ସେମାନେ ପିହୁଙ୍କୁ ଉଠାଇ ନେଇଥିଲେ। ପରେ ବାଇକ ଚେଞ୍ଜ କରି ଏକ କାରରେ ପିହୁକୁ ନେଇ ଯାଇଥିଲେ।

ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଏବଂ ଜନସାଧାରଣଙ୍କ ତତ୍ପରତା ଯୋଗୁ ୧୦ ଘଣ୍ଟା ପରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁରୁ ପିହୁଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଘଟଣା ନେଇ ପୋଲିସ୍ ଏକ ମାମଲା ରୁଜୁ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଏ ବାବଦରେ ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.