ରାଉରକେଲା : ଡାଇରିଆରେ ମୃତ୍ୟୁ ସଂଖ୍ୟା ଏପର୍ଯ୍ୟନ୍ତ ୯ ବୋଲି ଦର୍ଶାଇଲା ପ୍ରଶାସନ।। ସୁଧୁରୁଛି ଡାଇରିଆ ସ୍ଥିତି।। ସଂକ୍ରମଣରେ ହ୍ରାସ।

0 398

ରାଉରକେଲା : ୨୩/୧୨ (ସତ୍ୟାନ୍ୟୁଜ) ରାଉରକେଲାରେ ଡାଇରିଆ ପରିସ୍ଥିତି ସୁଧୁରିବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ରାଉରକେଲା ମହାନଗର ନିଗମ ସହ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ପରିସ୍ଥିତିର ମୁକାବିଲା ପାଇଁ ମିଳିତ ଉଦ୍ୟମ ଜାରି ରହିଛି। ରାଉରକେଲାରେ ବର୍ତ୍ତମାନ ୫୩ ଜଣ ଡ଼ାଇରିଆ ରୋଗୀ ଚିକିତ୍ସିତ ହେଉଛନ୍ତି। ଲୋକଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ରାଜ୍ଯ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲା ସହରର ସମସ୍ତ ୧୦ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଗୁଡିକ ୨୪ ଘଣ୍ଟା ଖୋଲା ରଖାଯାଇଛି। ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଯଥେଷ୍ଟ ଔଷଧ ଓ ଚିକିତ୍ସା ସୁବିଧା ସହ ଆମ୍ବୁଲାନ୍ସ ସେବା ଉପଲବ୍ଧ ରହିଛି।

ଡ଼ାଇରିଆରେ ଘଟିଥିବା ମୃତ୍ୟୁର ଚିହ୍ନଟ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନେତୃତ୍ବରେ ଏକ ଅଡିଟ୍ କମିଟି ଗଠନ କରାଯାଇଥିଲା। ଏହି ଅଡିଟ୍ କମିଟିର ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଡାଇରିଆରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି I ଏଥି ସହ ଡାଇରିଆ ପରିସ୍ଥିତିର ପ୍ରକୃତ କାରଣ ଜାଣିବା ପାଇଁ ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର (ଆରଏମଆରସି) ଓ ଏସସିବି ମେଡିକାଲର ଏକ ପ୍ରତିନିଧି ଦଳ ନମୂନା ସଂଗ୍ରହ କରିଛନ୍ତି।

ଡ଼ାଇରିଆ ପରିସ୍ଥିତିର ସଫଳ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତା ମୂଳକ ପଦକ୍ଷେପମାନ ଗ୍ରହଣ କରାଯାଇଛି। ସହରର ଗଳିକନ୍ଦିରେ ଆଶା ଓ ଅଙ୍ଗନବାଡି କର୍ମୀଙ୍କ ମାଧ୍ୟମରେ ମଧ୍ୟ ପ୍ରତିକାର ମୂଳକ ପଦକ୍ଷେପ ନେବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଏହା ସହ ରାପିଡ୍ ରେସ୍ପନ୍ସ ଟିମ୍ ମାଧ୍ୟମରେ ଘରକୁ ଘର ବୁଲି ଲକ୍ଷଣ ଥିବା ବ୍ୟକ୍ତିଙ୍କ ଚିକିତ୍ସାର ବ୍ୟବସ୍ଥା କରାଯାଉଛି। ରାଉରକେଲା ସହରରେ ପ୍ରାୟ ୫୬ ହଜାରରୁ ଉର୍ଦ୍ଧ୍ବ ଓଆରଏସ ପ୍ୟାକେଟ ବଣ୍ଟନ କରାଯାଇଛି । ଏଥି ସହ ୬୮ ହଜାରରୁ ଅଧିକ ସଂଖ୍ୟକ ହାଲୋଜେନ୍ ବଟିକା ମଧ୍ୟ ବଣ୍ଟନ କରାଯାଇଛି। ସ୍ଵଚ୍ଛତା ଓ ପରିଚ୍ଛନ୍ନତା ଉପରେ ଲୋକଙ୍କୁ ସଚେତନ କରାଯିବା ସହ ବସ୍ତି ମାନଙ୍କରେ ୩୦ ହଜାରରୁ ଉର୍ଦ୍ଧ୍ୱ ସାବୁନ୍ ବଣ୍ଟନ କରାଯାଇଛି।

ୱାଟକୋ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ସହରରେ ପାଇପ ଗୁଡ଼ିକର ମରାମତି କରାଯାଇଥିଲା । ଏହା ସହ ଏପର୍ଯ୍ୟନ୍ତ ରାଉରକେଲାରେ ପ୍ରାୟ ୧୫୦୦ରୁ ଉର୍ଦ୍ଧ୍ୱ ଜଳ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି। ସହରରେ ଥିବା ବିଭିନ୍ନ ଖାଦ୍ୟ ଷ୍ଟଲ୍ ସମେତ ହୋଟେଲ ଓ ରେସ୍ତୋରାଁ ଗୁଡ଼ିକରେ ପ୍ରତିଦିନ ଖାଦ୍ୟର ଗୁଣବତ୍ତା ତଥା ମାନ ପରୀକ୍ଷଣ କରାଯାଉଛି।

Leave A Reply

Your email address will not be published.