ରାଉରକେଲା : ଜେପି ହସ୍ପିଟାଲରେ ଆଉଜଣେ କଲେରା ଆକ୍ରାନ୍ତଙ୍କ ମୃତ୍ୟୁ।। ମୃତ୍ୟୁ ସଂଖ୍ୟା ୧୫।। କଲେରା ସ୍ଥିତି ନିୟନ୍ତ୍ରଣଧୀନ , କହିଲେ ଏଡିଏମ୍।
ରାଉରକେଲା ; ୨୨/୧୨ (ସତ୍ୟାନ୍ୟୁଜ) ରାଉରକେଲାରେ କଲେରା ଆକ୍ରାନ୍ତଙ୍କ ସଂଖ୍ୟା କମ ହେଉଥିବା ପ୍ରଶାସନ ତରଫରୁ କୁହା ଯାଉଥିବା ବେଳେ ଏବେ ମଧ୍ୟ ସ୍ଥିତି ଚିନ୍ତା ଜନକ ରହିଛି। ସରକାରୀ ଭାବେ କଲେରାରେ ମୃତ୍ୟୁ ସଂଖ୍ୟା ୬ ଥିବା ବେଳେ ବେସରକାରୀ ଭାବେ ଏହା ୧୫ ରେ ପହଞ୍ଚିଛି। ଗତକାଲି ରାତିରେ ଜେପି ହସ୍ପିଟାଲରେ ଜଣେ ୪୨ ବର୍ଷୀୟ ଯୁବକ ପଙ୍କଜ ମଣ୍ଡଳଙ୍କ କଲେରାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ମଧ୍ୟ କଲେରା ଆକ୍ରାନ୍ତ ମାନେ ହସ୍ପିଟାଲରେ ଆସି ଭର୍ତ୍ତି ହେଉଛନ୍ତି। କଲେରା ବ୍ୟାପିବା ୧୦ ଦିନ ହୋଇ ଯାଇଥିବା ବେଳେ ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣଧୀନ ହୋଇ ପାରିନାହିଁ। ରାଉରକେଲା ସରକାରୀ ହସ୍ପିଟାଲରେ ଶୁକ୍ରବାର ଦିନ କଲେରା ନିୟନ୍ତ୍ରଣ ବାବଦରେ ଏଡିଏମ ଡକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏହି ବୈଠକରେ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଧିକାରୀ , ଆରଜିଏଚ କର୍ତ୍ତୃପକ୍ଷ , କଟକ , ଭୁବନେଶ୍ୱରରୁ ଆସିଥିବା ଡାକ୍ତରୀ ଟିମ୍ ସାମିଲ ଥିଲେ। ସହରରେ କଲେରା ନିୟନ୍ତ୍ରଣଧୀନ ଅଛି ଏବଂ ଖୁବ ଶୀଘ୍ର ରାଉରକେଲାର ଜୀବନ ଯାତ୍ରା ସାମାନ୍ୟ ସ୍ତରକୁ ଆସିଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଡକ୍ତର ଶୁଭଙ୍କର ମହାପାତ୍ର କହିଛନ୍ତି।