ରାଉରକେଲା : ୧୮/୧୨ (ସତ୍ୟାନ୍ୟୁଜ) ରାଉରକେଲାରେ ଗତ ଏକ ସପ୍ତାହ ହେଲା ବ୍ୟାପିଥିବା ଡାଇରିଆ ସ୍ଥିତି ଚିନ୍ତା ଜନକ ରହିଛି। ସରକାରୀ ଭାବେ ଛଅ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବେସରକାରୀ ସୂତ୍ରରୁ ଏହି ସଂଖ୍ୟା ଅଧିକ ହେବ ବୋଲି କୁହାଯାଉଛି। ବିଭିନ୍ନ ହସ୍ପିଟାଲରେ ୨୫୦ ରୁ ଉର୍ଦ୍ଧ୍ବ ଡାଇରିଆ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ କେବଳ ସରକାରୀ ଡାକ୍ତରଖାନାରେ ୧୪୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ତନ୍ମଧ୍ୟରେ ୧୨ ଜଣ ଶିଶୁ ମଧ୍ୟ ରହିଛନ୍ତି। ଡାଇରିଆର କାରଣ ଜଳ ଜନିତ ହୋଇଥିବା ଆରଜିଏଚ ରେ ଡାଇରେକ୍ଟର ଇନଚାର୍ଜ ସୁଧାରାଣୀ ପ୍ରଧାନ କହିଥିବା ବେଳେ ୱାର୍ଟକୋ କର୍ତ୍ତୃପକ୍ଷ ପାନୀୟ ଜଳର ମାନ ଠିକ ଥିବା କହିଛନ୍ତି। ତେବେ ସହରରେ ୩୭ଟି ସ୍ଥାନରେ ପାଇପ ଫାଟିଥିବା ବେଳେ ୩୫ ଟି ସ୍ଥାନରେ ମରାମତି ସରିଛି ବୋଲି ୱାର୍ଟକୋ ଅଧିକାରୀ ପ୍ରଦୀପ୍ତ କୁମାର ସ୍ୱାଇଁ କହିଛନ୍ତି।
ଅନ୍ୟପକ୍ଷରେ ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିରୁ ସୋମବାର ସନ୍ଧ୍ୟାରେ ରାଉରକେଲା ମହାନଗର ନିଗମ କମିଶନର ଡାଇରିଆ ସ୍ଥିତି ଉପରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସରକାରୀ ଡାକ୍ତରଖାନାରେ ୧୦ ଜଣ ଅତିରିକ୍ତ ଡାକ୍ତରଙ୍କ ସହ ୨୦ ଜଣ ଷ୍ଟାଫ ନର୍ସ ରୋଗୀ ସେବା କରୁଥିବା କୁହାଯାଇଛି। ଏହାଛଡା ବିଭିନ୍ନ ବସ୍ତି ଏରିଆ ତଥା ଡାଇରିଆ ପ୍ରଭାବିତ ଏରିଆରେ ତୁରନ୍ତ ଚିକିତ୍ସା ସେବା ଦେବା ଲାଗି ୯ଟି ରାପିଡ୍ ରେସପନ୍ସ ଟିମ୍ କରାଯାଇଥିବା କମିଶନର କହିଛିନ୍ତି। ଡାଇରିଆ ଏକ ଜଳ ଜନିତ ରୋଗ ହୋଇଥିବାରୁ ଜଳର ମାନ ନିରୂପଣ କରିବାକୁ ଏକ ଯୁଗ୍ମ କମିଟି କରାଯାଇଥିବା ଆରଏମସି କମିଶନର ଡକ୍ଟର ଶୁଭଙ୍କର ମହାପାତ୍ର କହିଛନ୍ତି। ଏହାଛଡା ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ଡାଇରିଆ ନିରାକରଣ ଲାଗି ନିଆଯାଉଥିବା ପଦକ୍ଷେପର ତଦାରଖ କରୁଛନ୍ତି।
ତେବେ ରାଉରକେଲାରେ ଡାଇରିଆର ସ୍ଥିତି ଏବେ ମଧ୍ୟ ଚିନ୍ତାଜନକ ରହିଛି। ଦୂଷିତ ପାନୀୟ ଜଳରୁ ଏହି ରୋଗ ବ୍ୟାପୁଥିବା କୁହାଯାଉଛି। ତେଣୁ ଲୋକମାନେ ଏଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।