ରାଉରକେଲା : ରାଉରକେଲାରେ ଝାଡ଼ାବାନ୍ତି ରୋଗ ଅଣାୟତ୍ତ।। ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି।। ଶ୍ରମମନ୍ତ୍ରୀଙ୍କ ଆରଜିଏଚ ପରିଦର୍ଶନ।
ରାଉରକେଲା : ୧୭/୧୨ (ସତ୍ୟାନ୍ୟୁଜ) ରାଉରକେଲାରେ ଝାଡ଼ାବାନ୍ତି ସ୍ଥିତି ଅଣାୟତ୍ତ ହୋଇ ପଡିଛି। ଡାଇରିଆରେ ମୃତ୍ୟୁ ସଂଖ୍ୟା ୬ କୁ ବୃଦ୍ଧି ପାଇଛି। ଶନିବାର ରାତିରେ ହାଇଟେକ ହସ୍ପିଟାଲରେ ପ୍ରଣବ କୁମାର ସ୍ୱାଇଁ ନାମକ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସରକାରୀ ହସ୍ପିଟାଲରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ପୂର୍ବରୁ ଡାଇରିଆରେ ସରକାରୀ ହସ୍ପିଟାଲରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ହସ୍ପିଟାଲରେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। କେବଳ ରାଉରକେଲା ସରକାରୀ ହସ୍ପିଟାଲରେ ୧୧୧ ଜଣ ଡାଇରିଆରେ ପୀଡିତ ହୋଇ ଭର୍ତ୍ତି ହୋଇଛନ୍ତି। ସହରର ବିଭିନ୍ନ ଘରୋଇ ହସ୍ପିଟାଲରେ ୧୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଆଜି ଭୁବନେଶ୍ୱରରୁ ଆସି ପହଁଚିବା ପରେ ରାଉରକେଲା ସରକାରୀ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ହସ୍ପିଟାଲରେ ବେଡ଼ ବଢାଇବାକୁ ନିର୍ଦ୍ଦେଶ ଦେବା ସହ ରୋଗୀ ମାନଙ୍କୁ ମନ୍ତ୍ରୀ କମ୍ବଳ ବାଣ୍ଟି ଛନ୍ତି। ସ୍ଥିତିର ସମୀକ୍ଷା କରବା ଲାଗି ଭୁବନେଶ୍ୱରରୁ ସ୍ୱାସ୍ଥ୍ୟ ବିଭାଗର ଦୁଇଜଣ ବରିଷ୍ଠ ଅଧିକାରୀ ଆସି ରାଉରକେଲାରେ ପହଞ୍ଚିଛନ୍ତି। ସୁନ୍ଦରଗଡ଼ ମେଡ଼ିକାଲ କଲେଜରୁ ୪ ଜଣ ଡାକ୍ତର ଏବଂ ହସ୍ପିଟାଲରୁ ୪ ଜଣ ଡାକ୍ତର ଆସି ରାଉରକେଲାରେ ପହଞ୍ଚିଛନ୍ତି। ଡାଇରିଆ ରୋଗୀଙ୍କ ସଂଖ୍ୟା ରାଉରକେଲା ସହର ଏବଂ ଆଖପାଖ ଅଞ୍ଚଳରେ ବଢୁ ଥିବାରୁ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ସଜାଗ ରଖାଯିବା ସହ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରଯାଇଛି।