ରାଉରକେଲା : ସହରରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି।। ନିୟନ୍ତ୍ରଣ ଲାଗି ମହାନଗର ନିଗମ ଗଠନ କଲା ୧୨ଟି ସ୍ୱାସ୍ଥ୍ୟ ଟିମ୍।।

0 475

ରାଉରକେଲା : ୧୬/୧୨ (ସତ୍ୟାନ୍ୟୁଜ) ରାଉରକେଲା ସହରର ବିଭିନ୍ନ ଅଞ୍ଚଳରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଝାଡା ବାନ୍ତି ରୋଗ। ଦୁଇ ଦିନରେ ସରକାରୀ ଡାକ୍ତରଖାନାରେ ୪ ଜଣ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବା ପରେ ଅବସ୍ଥା ଚିନ୍ତା ଜନକ ହୋଇ ପଡିଛି। ଏବେବି ୧୦୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହାଛଡା ବିଭିନ୍ନ ଘରୋଇ ହସ୍ପିଟାଲ , ହାଇଟେକ୍ , ଭେଷଜ , ଜେପି ହସ୍ପିଟାଲରେ ମଧ୍ୟ ଡାଇରିଆରେ ଆକ୍ରାନ୍ତ ରୋଗୀ ଭର୍ତ୍ତି ହୋଇଛନ୍ତି। ଖବର ପାଇ ଶନିବାର ଅପରାହ୍ନରେ ବିଜେପି ନେତା ନିହାର ରାୟ ,କଂଗ୍ରେସ ସଭାପତି ରଶ୍ମିରଞ୍ଜନ ପାଢ଼ୀ , ପୂର୍ବତନ ବିଧାୟକ ପ୍ରଭାତ ମହାପତ୍ର , ମାନବିକତା ସଙ୍ଗଠନ ଅଧ୍ୟକ୍ଷ ପ୍ରଶାନ୍ତ ସେଠୀ ପ୍ରମୁଖ ସରକାରୀ ହସ୍ପିଟାଲ ପହଞ୍ଚି ଥିଲେ। ଡାଇରିଆରେ ଭର୍ତ୍ତି ହୋଇଥିବା ଆକ୍ରାନ୍ତଙ୍କ ୱାର୍ଡ ପରିଦର୍ଶନ ପରେ ଆରଜିଏଚ ନିର୍ଦ୍ଦେଶକଙ୍କୁ ଦେଖା କରି ଆକ୍ରାନ୍ତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ନିବେଦନ କରିଥିଲେ।

ଅନ୍ୟପକ୍ଷରେ ରାଉରକେଲା ମହାନଗର ନିଗମ ପକ୍ଷରୁ ଡାଇରିଆ ରୋଗ ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ମହାନଗର ନିଗମ ପକ୍ଷରୁ ୧୨ଟି ସ୍ୱାସ୍ଥ୍ୟ ଟିମ୍ ଗଠନ କରାଯାଇ ବିଭିନ୍ନ ଏରିଆକୁ ପଠା ଯାଇଛି। ଏହି ଟିମ୍ ରେ ଡାକ୍ତରଙ୍କ ସହ ଏ ଏନ୍ ଏମ୍ , ଆଶା କର୍ମୀ ମାନେ ରହିଛନ୍ତି। ବିଭିନ୍ନ ଏରିଆରେ ଲୋକଙ୍କୁ ସଚେତନ କରିବା ସହ ଔଷଧ ମଧ୍ୟ ବଣ୍ଟନ କରାଯାଉଛି।

ରାଉରକେଲାର ବିଭିନ୍ନ ଅଞ୍ଚଳରେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ହଠାତ ବୃଦ୍ଧି ପାଉଥିବାରୁ ଏହା ଜଳ ଜନିତ ହୋଇଥିବା ସନ୍ଦେହ କରାଯାଉଛି। ଜନସ୍ଵାସ୍ଥ୍ୟ ବିଭାଗ ମଧ୍ୟ ଏ ବାବଦରେ ପଦକ୍ଷେପ ନେବା ଆରମ୍ଭ କରି ଦେଇଛନ୍ତି।

Leave A Reply

Your email address will not be published.