ରାଉରକେଲା : ବିମାନ ବନ୍ଦରର ପୂର୍ଣ୍ଣ କାର୍ଯ୍ୟ କ୍ଷମତା ନେଇ ଆଶା।। ଡିପିଆର ପ୍ରସ୍ତୁତି ପାଇଁ ରାଜ୍ୟ ସରକାରଙ୍କ ୧କୋଟି ୧୦ଲକ୍ଷ ପ୍ରଦାନ।
ରାଉରକେଲା : ୩୦/୧୧ (ସତ୍ୟାନ୍ୟୁଜ) ରାଉରକେଲା ବିମାନବନ୍ଦର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ନେଇ ଆଶା ଦେଖା ଦେଇଛି। ରାଉରକେଲା ସମେତ ଜୟପୁର ଓ ଅମର୍ଦା ରୋଡ୍ (ମୟୂରଭଞ୍ଜ) ବିମାନବନ୍ଦରର ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏନେଇ ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର୍) ପ୍ରସ୍ତୁତ କରିବାକୁ ରେଲ୍ ଇଣ୍ଡିଆ ଟେକ୍ନିକାଲ ଆଣ୍ଡ୍ ଇକୋନୋମିକ ସର୍ଭିସ(ରାଇଟ୍ସ)କୁ ନିୟୋଜିତ କରାଯାଇଛି। ପ୍ରତ୍ୟେକ ବିମାନବନ୍ଦରର ଡିପିଆର୍ ପ୍ରସ୍ତୁତି ବାବଦକୁ ରାଜ୍ୟ ସରକାର ୧ କୋଟି ୧୦ ଲକ୍ଷ ଟଙ୍କା, ଅର୍ଥାତ୍ ମୋଟ ୩.୩ କୋଟି ଟଙ୍କା ବ୍ୟୟ କରିବେ। ଆଗାମୀ ୩/୪ ମାସ ଭିତରେ ଡିପିଆର୍ ପ୍ରସ୍ତୁତ ହୋଇ ଦାଖଲ ହେବ। ଏହାପରେ ଏହି ତିନି ବିମାନବନ୍ଦର ନୂଆ ରୂପ ପାଇବା ସହ ୩ସି ମାନ୍ୟତା ପାଇଁ ଆବେଦନ କରାଯିବ ବୋଲି ଜଣାପଡ଼ିଛି।
ଏହି ବିମାନବନ୍ଦର ଭିତ୍ତିଭୂମି ବିକାଶ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ସରକାର ପୂର୍ବରୁ ମଧ୍ୟ ପଦକ୍ଷେପ ନେଇଥିଲେ। ଗତ ଜୁଲାଇ ୪ ତାରିଖରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)କୁ ପତ୍ର ମାଧ୍ୟମରେ ରାଉରକେଲା ବିମାନବନ୍ଦର ଭିତ୍ତିଭୂମି ଯାଞ୍ଚ ଓ ଇନ୍ଷ୍ଟ୍ରୁମେଣ୍ଟ୍ ଲ୍ୟାଣ୍ଡିଂ ସିଷ୍ଟମ୍ (ଆଇଏଲଏସ୍) ସ୍ଥାପନ ସହ ରାତ୍ରିକାଳୀନ ବିମାନ ଅବତରଣ ବ୍ୟବସ୍ଥା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ବାବଦକୁ ହେବାକୁ ଥିବା ବ୍ୟୟ ଅଟକଳ ସହ ଡିପିଆର୍ ପ୍ରସ୍ତୁତ କରିବାକୁ ନିବେଦନ କରାଯାଇଥିଲା। ତେବେ ଏଏଆଇ ପକ୍ଷରୁ କୌଣସି ବିହିତ ପଦକ୍ଷେପ ନିଆ ଯାଇନଥିଲା। ଏବେ କିନ୍ତୁ ରାଇଟ୍ସକୁ ପରାମର୍ଶଦାତା ଭାବେ ନିୟୋଜିତ କରାଯାଇଛି। ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ରାଇଟ୍ସ ସଂସ୍ଥାକୁ ଲିଖିତଭାବେ ପରମାର୍ଶଦାତା ହେବା ପାଇଁ ନିବେଦନ କରାଯାଇଥିଲା। ଗତ ୮ ତାରିଖରେ ଉକ୍ତ ସଂସ୍ଥା ସର୍ତ୍ତାବଳୀ ସହ ସମ୍ମତି ପ୍ରଦାନ କରିଥିଲା। ପରେ ରାଜ୍ୟ ସରକାର ମଧ୍ୟ ସମସ୍ତ ସର୍ତ୍ତକୁ ମାନି ରାଜ୍ୟର ତିନି ବିମାନବନ୍ଦରକୁ ବିକଶିତ କରିବାକୁ ରାଜି ହୋଇଛନ୍ତି। ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସାଧାରଣରେ ଭୂୟସୀ ପ୍ରଂଶସା କରାଯାଇଛି। ରାଉରକେଲା ସଚେତନ ନାଗରିକ ମଞ୍ଚ ସଭାପତି ବିମଳ ବିଶିଙ୍କ ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।