ରାଉରକେଲା : ୨୮/୧୧ (ସତ୍ୟାନ୍ୟୁଜ) ବାଇକ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଯାଇଥିବା ଏବଂ ଉକ୍ତ ବାଇକ୍ କୁ ଜଣେ ନାବାଳକ ଚଳାଉଥିବା ଚିନ୍ତାର ବିଷୟ ହୋଇଛି। ନାବାଳକଙ୍କୁ ବାଇକ୍ ଦେବାକୁ ପରିବହନ ବିଭାଗ ଏବଂ ପ୍ରଶାସନ ପକ୍ଷରୁ ଯେତେ ବାରଣ କଲେ ମଧ୍ୟ ନାବାଳକ ମାନେ ଗାଡି ଚଳାଉଥିବା ନଜରକୁ ଆସୁଛି। ଅବଶ୍ୟ ସୋମବାର ସନ୍ଧ୍ୟାରେ ବାଇକ୍ ଧକ୍କାରେ ମୃତ୍ୟୁ ବରଣ କରିଥିବା ଘରୋଇ ସୁରକ୍ଷା କର୍ମୀ ଟେଟେଙ୍ଗା ନାୟକ ରାସ୍ତା ପାର ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସେ ବାଲୁଘାଟ ଦେହୁରୀ ବସ୍ତିରେ ରହୁଥିଲେ। ସୋମବାର ସନ୍ଧ୍ୟାରେ ଟେଟେଙ୍ଗା କାମ ସାରି ରାସ୍ତାରେ ସାଇକେଲରେ ଆସୁଥିବା ବେଳେ କେଟିଏଚ୍ ହସ୍ପିଟାଲ ପାଖରେ ଏକ ପଲସର ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଉକ୍ତ ବାଇକ୍ କୁ ଜଣେ ନାବାଳକ ଚଳାଉଥିବା ଏବଂ ଅନ୍ୟ ଜଣେ ନାବାଳକ ବସିଥିବା ପୋଲିସ ତଦନ୍ତରୁ ଜଣା ପଡ଼ିଛି। ମୃତକଙ୍କ ଶବ ସରକାରୀ ହସ୍ପିଟାଲ ମର୍ଗ ହାଉସରେ ଥିବା ବେଳେ ରଘୁନାଥପାଲି ପୋଲିସର ଅଧିକ ତଦନ୍ତ ଜାରି ରହିଛି।