ରାଉରକେଲା : ୨୮/୧୧ (ସତ୍ୟାନ୍ୟୁଜ) ରାଉରକେଲା ଜେଲ୍ରୋଡରେ ସୋମବାର ଅପରାହ୍ନରେ ରିଜର୍ଭ ପୁଲିସ କର୍ମଚାରୀଙ୍କ କାର୍ ଧକ୍କାରେ ଦମ୍ପତି ଏବଂ ତାଙ୍କ ଛୋଟ ଝିଅ ଆହତ ହୋଇଛନ୍ତି। ସେମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭତ୍ତି କରାଯାଇଛି। ଦୁର୍ଘଟଣାକୁ କେନ୍ଦ୍ରକରି ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଧକ୍କା ଦେଇଥିବା ପୁଲିସ କର୍ମଚାରୀଙ୍କୁ ଉତ୍ତେଜିତ ଲୋକେ ମାଡ଼ ମାରିଥିବା ଜଣା ପଡ଼ିଛି। ଲୋକଙ୍କ ମାଡ଼ରେ ପୁଲିସ କର୍ମଚାରୀଙ୍କ ମୁଣ୍ଡରେ ଆଘାତ ଲାଗିଛି। ଖବର ପାଇ ରଘୁନାଥପାଲି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ସହ ଆହତ ପୁଲିସ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ। ପୁଲିସ ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛନ୍ତି।
ମିଳିଥିବା ସୂଚନା ମୁତାବକ ଗତକାଲି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଏକ ସ୍କୁଟିରେ ଦମ୍ପତି ଓ ତାଙ୍କ ଛୋଟ ଝିଅ ଜେଲ୍ରୋଡ ଦେଇ ଆଇଟିଆଇ ନିକଟସ୍ଥ ଶାନ୍ତିନଗର ଅଞ୍ଚଳକୁ ଯାଉଥିଲେ। ଜେଲ୍ ପଛପାର୍ଶ୍ବ ଗେଟ୍ ନିକଟରେ ରିଜର୍ଭ ପୁଲିସର କର୍ମଚାରୀ ଚଳାଉ ଥିବା କାର୍ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା। ଦମ୍ପତି ଓ ତାଙ୍କ ଝିଅ ସ୍କୁଟି ସହ ରାସ୍ତା ଉପରେ ପଡ଼ି ଯାଇଥିଲେ। ଏ ବାବଦରେ ରଘୁନାଥପାଲି ଥାନାରେ ଏକ ମାମଲା ରଜ୍ଜୁ ହୋଇଛି।