ସୁନ୍ଦରଗଡ : ନାବାଳକ ଏବଂ ନାବାଳିକା ଗାଡି ଚାଳନା ନକରିବା ଉପରେ ଗୁରୁତ୍ୱ।। ଡିସେମ୍ବର ୧ରୁ ୭ ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ହେବ।
ସୁନ୍ଦରଗଡ଼ : ୨୪/୧୧(ସତ୍ୟାନ୍ୟୁଜ) : ଆଭାସି ମାଧ୍ୟମରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ତଥା ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଜିଲ୍ଲାପାଳ ଡ଼ା. ପରାଗ ଗଭାଲି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକ ରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସୁନ୍ଦରଗଡ଼ ଏବଂ ରାଉଲକେଲା ର ସମସ୍ତ ଅଧିକାରୀ, ଜିଲ୍ଲା ସଡ଼କ ସୁରକ୍ଷା କମିଟି ର ସମସ୍ତ ସଭ୍ୟ ତଥା ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ନିଜ ମତାମତ ପ୍ରଦାନ କରିଥିଲେ।
ଏହି ଅବସର ରେ ଜିଲ୍ଲାପାଳ ଡ଼ା. ଗଭାଲି ସଡ଼କ ସୁରକ୍ଷା ନିମନ୍ତେ ଥିବା ମାର୍ଗଦର୍ଶିକା ର ଅନୁପାଳନ ତଥା ସଡ଼କ ସୁରକ୍ଷା ଆଇନ୍
ଖିଲାପକାରି ଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବା ଉପରେ କହିଥିଲେ ଏବଂ ବିଶେଷ କରି ୧୮ ବୟସ ହୋଇ ନଥିବା ବାଳକ ବାଳିକା ମାନେ ଯେପରି ଗାଡ଼ି ଚାଳନା ନକରନ୍ତି ତାହା ପ୍ରତି ଗୁରୁତ୍ୱାରୋପ କରିଥିଲେ ଏବଂ ଏଥି ପ୍ରତି ପ୍ରତ୍ୟେକ ବାପା ମା ତଥା ସ୍କୁଲ୍ ଓ କଲେଜ କତୃପକ୍ଷ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ।
ବୈଠକ ରେ ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସୁକାନ୍ତ ଦାସ ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ନିମନ୍ତେ ନିଆଯିବାକୁ ଥିବା ବିଭିନ୍ନ ପଦକ୍ଷେପ ଗୁଡ଼ିକ ଉପରେ ଆଲୋଚନା କରିଥିଲେ। ଏହି ସପ୍ତାହ ପାଳନ ନିମନ୍ତେ ଜିଲ୍ଲା ବ୍ୟାପି ଏନଫର୍ସମେଣ୍ଟ ଅଭିଯାନ କରାଯିବ, ଯେଉଁଥିରେ କି ବିନା ହେଲମେଟ ରେ ଗାଡ଼ି ଚାଳନା, ଗାଡ଼ି ଚାଳନା ସମୟରେ ସିଟ ବେଲ୍ଟ ବ୍ୟବହାର ନକରିବା, ମଦ୍ୟ ପାନ କରି ଗାଡ଼ି ଚାଳନା କରିବା, ଅତ୍ୟଧିକ ବେଗ ରେ ଗାଡ଼ି ଚାଳନା, ଗାଡ଼ି ଚାଳନା ସମୟରେ ମୋବାଇଲ ବ୍ୟବହାର କରିବା, ୧୮ ବୟସ ହୋଇ ନଥିବା ପିଲା ଙ୍କ ଗାଡ଼ି ଚାଳନା, ଗାଡ଼ି ର ଅବସ୍ଥା ଯେମିତିକି ଗାଡ଼ି ର କ୍ଷମତା, ଗାଡ଼ି ର ଉଚିତ୍ ଲାଇଟ୍ ବ୍ୟବସ୍ଥା, ଇଣ୍ଡିକେଟର ଲାଇଟ୍ ତଥା ଅନ୍ୟାନ୍ୟ କାଗଜ ପତ୍ର ଆଦି ଏବଂ ଗାଡ଼ି ର ଫିଟନେସ, ବିପରୀତ ପାର୍ଶ୍ବରେ ଗାଡ଼ି ଚଳାଇବା, ବିପଦପୂର୍ଣ୍ଣ ପାର୍କିଂ ବା ବେଆଇନ ପାର୍କିଂ ଆଦି ରହିଛି। ଏହି ଏନଫର୍ସମେଣ୍ଟ ଅଭିଯାନ ଉଭୟ ପରିବହନ ବିଭାଗ ତଥା ପୋଲିସ ବିଭାଗ ଦ୍ଵାରା ଯୁଗ୍ମ ଭାବେ କରାଯିବ। ସେହିଭଳି ପୋଲିସ ବିଭାଗ ଦ୍ଵାରା ଜିଲ୍ଲା ରେ ଥିବା ବ୍ଲାକ ସ୍ପଟ୍ସ ତଥା ଦୁର୍ଘଟଣା ପ୍ରବଣ ସ୍ଥାନ ମାନଙ୍କରେ ମଧ୍ୟ ଏନଫର୍ସମେଣ୍ଟ ଅଭିଯାନ କରିବା ସହିତ ରାଜପଥ ମାନଙ୍କରେ ପାଟ୍ରୋଲିଂ ବ୍ୟବସ୍ଥା କୁ ବଢ଼େଇବେ, ଟ୍ରାଫିକ ନିୟମ ଉଲଙ୍ଘନ କରିଥିବା ଲୋକଙ୍କୁ ସଚେତନତା ସୃଷ୍ଟି କରିବେ, ଜନସାଧାରଣ ସ୍ଥଳ ରୁ ପରିତ୍ୟକ୍ତ ଭାବେ ରହିଥିବା ଯାନ ବାହନ ଆଦି କୁ ଉଠେଇବେ ସେହିପରି ମଦ୍ୟ ପାନ କରି ଗାଡ଼ି ଚଳାଉଥିବା ନିୟମ ଖିଲପକାରି ଙ୍କୁ ଗିରଫ କରିବେ।
ସେହିପରି ଦୁର୍ଘଟଣା ପ୍ରବଣ ଅଞ୍ଚଳ କିମ୍ବା ବ୍ଲାକ ସ୍ପୋଟ ଅଞ୍ଚଳ ପାଖାପାଖି ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ଆମ୍ବୁଲାନ୍ସ ବ୍ୟବସ୍ଥା ସୁନିଶ୍ଚିତ କରିବା, ଜି ପି ଏସ ବ୍ୟବସ୍ଥା ଥିବା ଆମ୍ବୁଲାନ୍ସ ବ୍ୟବସ୍ଥା କରିବା, ଦୁର୍ଘଟଣା ରେ ଆହତ ମାନଙ୍କୁ ପ୍ରତ୍ୟେକ ଟ୍ରୋମା କେୟାର ହସ୍ପିଟାଲ ମାନଙ୍କରେ ପ୍ରଥମ ୪୮ ଘଣ୍ଟା ମାଗଣା ଚିକିତ୍ସା ବ୍ୟବସ୍ଥା କୁ ସୁନିଶ୍ଚିତ କରିବା ଏବଂ ଲୋକ ଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । ସେହିପରି ଜାତୀୟ ରାଜପଥ ଅଥରିଟି ତଥା ପୂର୍ତ୍ତ ବିଭାଗ ମଧ୍ୟ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଆଦି ନିକଟରେ ଆମ୍ବୁଲାନ୍ସ ବ୍ୟବସ୍ଥା ଆଦି ସୁନିଶ୍ଚିତ କରିବା, ରାସ୍ତାରେ ସୃଷ୍ଟି ହୋଇଥିବା ଗର୍ତ୍ତ ଗୁଡ଼ିକ ଠିକ୍ କରିବା, ରାସ୍ତା ମଝିକୁ ଆସୁଥିବା ଗଛ କୁ କାଟିବା, ଷ୍ଟ୍ରିଟ ଲାଇଟ୍ ବ୍ୟବସ୍ଥା ଆଦି ସୁନିଶ୍ଚିତ କରିବେ। ଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ୍ ତଥା କଲେଜ ମାନଙ୍କରେ ଏଥି ନିମନ୍ତେ ସଚେତନତା ଅଭିଯାନ କରିବେ, ସ୍କୁଲ୍ ତଥା କଲେଜ କତୃପକ୍ଷ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଡ଼କ ସୁରକ୍ଷା ନିମନ୍ତେ ସଚେତନ କରିବେ, ଯଦି କୌଣସି ବୟସ ହୋଇନଥିବା ଛାତ୍ର ଛାତ୍ରୀ ଗାଡ଼ି ଚାଳନା କରୁଛନ୍ତି ଆଦି ତଦାରଖ କରିବେ।
ସଡ଼କ ଦୁର୍ଘଟଣା କୁ ଏଡ଼ାଇବା ନିମନ୍ତେ ସଡ଼କ ସୁରକ୍ଷା ସମ୍ପର୍କିତ ସମସ୍ତ ନିୟମ ମାନି ଗାଡ଼ି ଚଲେଇବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ଏଥିପ୍ରତି ସଚେତନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରୁରୋଧ କରାଯାଇଅଛି।