ରାଉରକେଲା : ଶିଶୁ ଅନୁକୂଳ ପରିବେଶ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ କର୍ମଶାଳା।। ଶିଶୁ ମାନଙ୍କ ଖେଳ କୁଦ ପାଇଁ ଉତ୍ତମ ଭିତ୍ତିଭୂମି ଉପରେ ଗୁରୁତ୍ୱ।

0 423

ରାଉରକେଲା : ୨୩/୧୧ (ସତ୍ୟାନ୍ୟୁଜ) ଆଜିର ଶିଶୁ ଆସନ୍ତା କାଲିର ନାଗରିକ। ଏହି ଶିଶୁ ମାନଙ୍କ ଶୈଶବର ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ସେମାନଙ୍କୁ ଏକ ଉତ୍ତମ ପରିବେଶରେ ବଢିବା ପାଇଁ ସୁଯୋଗ ଦେବା ଲାଗି ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ଓ ରାଉରକେଲା ମହାନଗର ନିଗମ ତରଫରୁ ‘ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ’ ଅଭିଯାନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଉଛି । ଏହି ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଏଥି ସହ ଜଡ଼ିତ ସଂସ୍ଥା ମାନଙ୍କୁ ନେଇ ଏକ କର୍ମଶାଳା ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ଶିଶୁଙ୍କୁ ସୁହାଇବା ଭଳି ଆନନ୍ଦମୟ ପରିବେଶ ତିଆରି କରିବା ନିମନ୍ତେ ଏକ ରୋଡ ମ୍ୟାପ ପ୍ରସ୍ତୁତ କରିବା ପାଇଁ ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା। ବିକାଶର କାମକୁ ତ୍ୱରାନ୍ୱିତ କରିବା ସହ ରାଉରକେଲା ସହରକୁ ଶିଶୁ ମାନଙ୍କ ନିମନ୍ତେ ଶ୍ରେଷ୍ଠ ସହର ଭାବେ ଗଢ଼ି ତୋଳିବାକୁ ଏହି କର୍ମଶାଳାରେ ଚର୍ଚ୍ଚା ହୋଇଥିଲା।

‘ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ’ ଅଭିଯାନରେ ଦେଶର ଶ୍ରେଷ୍ଠ ୧୦ଟି ସହର ମଧ୍ୟରେ ରାଉରକେଲା ସ୍ଥାନ ପାଇବା ପରେ ସହରର ପରିବେଶକୁ ଶିଶୁ ଅନୁକୂଳ କରିବା ସକାଶେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ଓ ରାଉରକେଲା ମହାନଗର ନିଗମ ତରଫରୁ ବିଭିନ୍ନ ବିଭାଗର ସହାୟତାରେ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ବିଶେଷକରି ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକେ ବସବାସ କରୁଥିବା ଅଞ୍ଚଳ ଗୁଡିକୁ ପ୍ରାଧାନ୍ୟ ଦିଆଯାଇ ସେଠାକାର ପରିବେଶକୁ ଚାଇଲ୍ଡ ଫ୍ରେଣ୍ଡଲି କରାଯାଉଛି। ଶିଶୁ ମାନଙ୍କ ମାନସିକ ତଥା ଶାରୀରିକ ବିକାଶ ନିମନ୍ତେ ଖେଳକୁଦ ଜରୁରୀ ହୋଇଥିବା ବେଳେ ସହରରେ ଥିବା ଅବ୍ୟବହୃତ ଖୋଲା ସ୍ଥାନ ଗୁଡ଼ିକର ଉନ୍ନତିକରଣ କରାଯାଇ ଶିଶୁ ମାନଙ୍କ ଖେଳକୁଦ ପାଇଁ ଉତ୍ତମ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି । ଏଥି ସହ ପାର୍କ ଗୁଡିକର ମଧ୍ଯ ବିକାଶ କାର୍ଯ୍ୟ ଜାରି ରହିଛି।

ସହରରେ ଥିବା ଅଙ୍ଗନବାଡି କେନ୍ଦ୍ର ପରିସରକୁ ଶିଶୁ ଅନୁକୂଳ କରି ସାନ ସାନ ପିଲାମାନଙ୍କ ପ୍ରାରମ୍ଭିକ ଶିକ୍ଷାକୁ ଆନନ୍ଦଦାୟକ କରିବା ନିମନ୍ତେ ବାଲା ମଡେଲ (ବିଲ୍ଡିଂ ଆଜ୍ ଲର୍ଣ୍ଣିଂ ଏଡ)ରେ ନୂତନ ଅଙ୍ଗନବାଡି ନିର୍ମାଣ କରାଯାଉଛି। ଉତ୍ତମ ଗୃହ, ବିଶୁଦ୍ଧ ପାନୀୟ ଜଳ, ମମତା ଗୃହ, ଶୌଚାଳୟ, ଅଙ୍ଗନବାଡ଼ି ଗୃହର କାନ୍ଥ ଗୁଡିକରେ ନାନା ପ୍ରକାରର ଚିତ୍ର କରି ଆକର୍ଷଣୀୟ କରାଯାଉଛି । ଯାହା ଫଳରେ ଶିଶୁଙ୍କ ଉପସ୍ଥାନ ହାର ବୃଦ୍ଧି ହୋଇ ପାରିଛି।

କେବଳ ଶିଶୁ ନୁହେଁ ସେମାନଙ୍କ ଅଭିଭାବକ ମାନଙ୍କ ପାଇଁ ମଧ୍ୟ ପାର୍କ ତଥା ଖୋଲା ସ୍ଥାନ ଗୁଡିକର ବିକାଶ କରାଯାଇ ସେଠାରେ ମୋବାଇଲ ଲାଇବ୍ରେରୀ, କମ୍ୟୁନିଟି ସେଣ୍ଟର ଓ ଖୋଲା ଜିମ ପ୍ରତିଷ୍ଠା କରାଯାଉଛି। ଯାହା ଫଳରେ କେବଳ ଶିଶୁ ନୁହେଁ ସେମାନଙ୍କ ଅଭିଭାବକ ମାନଙ୍କ ପାଇଁ ମଧ୍ୟ ଅନୁକୂଳ ପରିବେଶ ସୃଷ୍ଟି ସୁନିଶ୍ଚିତ ହୋଇପାରିଛି। ଏଥିସହ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ପ୍ରସୂତୀ ମା’ ମାନଙ୍କ ଲାଗି ସ୍ୱତନ୍ତ୍ର ସ୍ତନ୍ଯପାନ କକ୍ଷର ବ୍ୟବସ୍ଥା କରାଯାଉଛି।

ଏହି କାର୍ଯ୍ୟକ୍ରମରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ତଥା ସ୍ମାର୍ଟ ସିଟି ସିଇଓ ଡାକ୍ତର ଶୁଭଙ୍କର ମହାପାତ୍ର ଉପସ୍ଥିତ ରହି ରାଉରକେଲା ସହରକୁ ଶ୍ରେଷ୍ଠ ଚାଇଲ୍ଡ ଫ୍ରେଣ୍ଡଲି ସହରରେ ପରିଣତ କରିବା ପାଇଁ ବିଭିନ୍ନ ବିଭାଗର ସହଯୋଗରେ ଉନ୍ନୟନମୂଳକ କାର୍ଯ୍ୟ ନିରନ୍ତର ଭାବେ ଜାରି ରହିଛି ବୋଲି କହିଥିଲେ । ଆଗାମୀ ଦିନରେ ଶିଶୁ ତଥା ସେମାନଙ୍କ ଅଭିଭାବକ ମାନଙ୍କୁ ସୁହାଇବା ଭଳି ଆହୁରି ଅଧିକରୁ ଅଧିକ ଅଙ୍ଗନବାଡ଼ି କେନ୍ଦ୍ର, ସ୍ୱାସ୍ଥ୍ୟକେନ୍ଦ୍ର, ରାସ୍ତାଘାଟ ଓ ପାର୍କ ଗୁଡ଼ିକୁ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ବିଭାଗ ତଥା ଯୋଜନା ସହ ଯୋଡ଼ି ଆମର ଲକ୍ଷ୍ୟ ରହିଛି ବୋଲି କହିଥିଲେ।

ଏହି ଅଭିଯାନ ସହ ଜଡ଼ିତ ଥିବା ବିଭିନ୍ନ ବିଭାଗୀୟ ଅଧିକାରୀ ତଥା କର୍ମଚାରୀମାନେ ଉପସ୍ଥିତ ରହି ସେମାନଙ୍କ ମତ ରଖିଥିଲେ। ଏଥିରେ ଆରଏମସି ଡେପୁଟି କମିଶନର ଶ୍ରୀଯୁକ୍ତ ସୁଧାଂଶୁ ଭୋଇ, ଶ୍ରୀଯୁକ୍ତ ଗୌରବମୟ ପ୍ରଧାନ, ଶ୍ରୀଯୁକ୍ତ ରୋନିତ କୁମାର, ରାଉରକେଲା ସରକାରୀ ଡାକ୍ତରଖାନାର ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ପ୍ରଶାନ୍ତ କୁମାର ପାତ୍ର, ସିଏଫ୍ଓ ୟୁପିସି ପାତ୍ର, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ବସ୍ତି ଉନ୍ନୟନ ସଂଘର ସଦସ୍ୟ, ଆରଏମସି ଓ ରାଉରକେଲା ସ୍ମାର୍ଟ ସିଟିର ଅଧିକାରୀ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.