ସୁନ୍ଦରଗଡ : ଜିଲ୍ଲା ସ୍ତରୀୟ ମତ୍ସ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ।। ୪୫ରୁ ଉର୍ଦ୍ଧ୍ବ ଷ୍ଟଲରେ ବିଭିନ୍ନ ଯୋଜନା ଓ ପ୍ରକଳ୍ପ ପ୍ରଦର୍ଶିତ।
ସୁନ୍ଦରଗଡ଼ : ୨୩/୧୧: (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଠାରେ ଦୁଇଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆଜି ଉଦଯାପିତ ହୋଇଅଛି।
ଏହି ମେଳାରେ ଜିଲ୍ଲାର ମତ୍ସ୍ୟ ଓ ପଶୁ ସମ୍ପଦର ବିକାଶ ବିଭାଗ, କୃଷି ଓ ଉଦ୍ୟାନ ବିଭାଗ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୪୫ରୁ ଅଧିକ ଷ୍ଟଲରେ ବିଭିନ୍ନ ଯୋଜନା ଓ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।
ମେଳାର ଦ୍ୱିତୀୟ ଦିନରେ ଜିଲ୍ଲାପାଳ ଡ଼ା. ପରାଗ ଗାଭାଲି, ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରଦୀପ ମିରାସେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ା. ବସନ୍ତ କୁମାର ଧଳ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଅରୁଣ ସାହୁ ତଥା ବିଭିନ୍ନ ବିଭାଗୀୟ ଅଧିକାରୀ ଏହି ମେଳା ରେ ଯୋଗ ଦାନ କରିବା ସହିତ ଷ୍ଟଲ ମାନ ପରିଦର୍ଶନ କରିବା ସହ ଚାଷୀ ଓ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିଥିଲେ। ସେ ଏହି ଆଲୋଚନା ସମୟରେ ବିଭିନ୍ନ ବିଜନେସ୍ ମଡେଲ, ତାଲିମର ମାନ, ଉତ୍ପାଦ ପାଇଁ ଋଣ ସୁବିଧା ଏବଂ ଉପଲବ୍ଧ ବଜାର ଇତ୍ୟାଦି ବିଷୟରେ ପଚାରି ବୁଝିଥିଲେ।
ଆଜିର ଏହି ଉଦଯାପନୀ ଉତ୍ସବରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ଜିଲ୍ଲାପାଳ ଡା. ଗଭାଲି କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକୁ ଏକ ବ୍ୟବସାୟ ଭାବେ ବିବେଚନା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଚାଷୀମାନେ ଅନେକ ସମୟରେ ଲାଭ ଅର୍ଜନ କରିବାକୁ ପଛଘୁଞ୍ଚା ଦିଅନ୍ତି ଏବଂ ଲାଭଜନକ ମାନସିକତା ଅବଲମ୍ବନ କରି ଏଥିରେ ସୁଧାର ଅଣାଯାଇପାରିବ। ଏହା ସେତେବେଳେ ସମ୍ଭବ ଯେତେବେଳେ କୃଷି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାଯ୍ୟକୁ କେବଳ ଏକ ବୃତ୍ତି ଭାବେ ନୁହେଁ, ବରଂ ଏକ ବ୍ୟବସାୟ ଭାବେ ବିବେଚନା କରାଯିବ।
ନୂତନ ଜ୍ଞାନ କୌଶଳକୁ ଗ୍ରହଣ କରିବା ଏବଂ ଏହାର ଉଚିତ ଉପଯୋଗ କରି ଚାଷୀ ମାନେ ଲଭାନ୍ଵିତ ହେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି କହିଥିଲେ ଯେ ସମସ୍ତ କୃଷକ ଏବଂ ଉଦ୍ୟୋଗୀ କ୍ଷତିର ଆଶଙ୍କାକୁ କମ୍ କରିବା ଉପରେ ଧ୍ୟାନ ଦେବା ଉଚିତ ଏବଂ ଉତ୍ପାଦନକୁ ବୃଦ୍ଧି କରି ଆୟ ବୃଦ୍ଧି କରିବା ଦିଗରେ ଚେଷ୍ଟା କରିବା ଉଚିତ , ଯାହାଦ୍ଵାରା କି ଏହା ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ରେ ସହାୟକ ହୋଇପାରିବ।
ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ଧଳ ଜିଲ୍ଲାର ବିଭିନ୍ନ ଯୋଜନାର ତଥ୍ୟ ଓ ପରିସଙ୍ଖ୍ୟାନ ଉପସ୍ଥାପନ କରିଥିଲେ ଯାହା ସୂଚାଉଛି ଯେ ଜିଲ୍ଲା ମତ୍ସ୍ୟଚାଷ ଓ ପଶୁପାଳନ କ୍ଷେତ୍ରରେ ଭଲ ଅଗ୍ରଗତି କରୁଥିବା କଥା ସେ କହିଥିଲେ। ସେହିପରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ଯେ, ଜିଲ୍ଲାରେ ମିଲେଟ ମିଶନ ର ଉଲ୍ଲେଖନୀୟ କାର୍ଯ୍ୟ ତଥା ଭଲ ପ୍ରଦର୍ଶନ ନିମନ୍ତେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛି ଏବଂ ଏହା ଆମ ସମସ୍ତଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ। ସେହିଭଳି ମତ୍ସ୍ୟ ତଥା ପ୍ରାଣୀ ସମ୍ପଦ କ୍ଷେତରେ ରେ ମଧ୍ୟ ଅତୁଳନୀୟ ସଫଳତା ଆଣି ଜିଲ୍ଲା ର ନାମ ରଖିବା ନିମନ୍ତେ ନିମନ୍ତେ ନିଜ ବକ୍ତବ୍ୟ ରଖିଥିଲେ।
ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀ ମିରାସେ ଆନ୍ତ ବିଭାଗୀୟ ସମନ୍ଵୟ ରକ୍ଷା କରି ବିଭିନ୍ନ ବିଭାଗ ଗୁଡ଼ିକ କାର୍ଯ୍ୟ କରିବା ଉଚିତ୍ ଯାହାଫଳରେ ବିକାଶ ଲକ୍ଷ୍ୟ ହାସଲ କରାଯାଇପାରିବ ବୋଲି କହିଥିଲେ।
ଏହି ଅବସର ରେ ଲହୁଣୀପଡ଼ା ବ୍ଲକ ର ସଂଖପୋସ ର ସଫଳ ଉଦ୍ୟୋଗୀ ଶ୍ରୀ ଭରତ ଚନ୍ଦ୍ର ମହନ୍ତ ଯିଏ କି ମାଛ ଯାଆଁଳା ନେଟୱର୍କ କରିଛନ୍ତି , ଟାଂଗରପାଲି ବ୍ଲକ ର ଉଜଲ୍ ପୂର୍ ର ଶ୍ରୀମତୀ ସଂଗ୍ୟସିନି ପଟେଲ ଯିଏ କି ମତ୍ସ୍ୟ ପୋଖରୀ ଯୋଜନା ଅନ୍ତର୍ଗତ ମାଛ ଚାଷ କରିଛନ୍ତି, ଲେଫ୍ରୀପଡ଼ା ବ୍ଲକ ର ଶ୍ରୀ ସନ୍ତୋଷ ବୋହିଦାର ଯିଏ କି ଘୁଷୁରୀ ଚାଷ କରିଛନ୍ତି ଏବଂ ବଡ଼ଗାଁ ର ସ୍ନେହା କୁକୁଡ଼ା ଫାର୍ମ କୁ ସମ୍ବର୍ଦ୍ଧିତ କରାଯାଇ ଥିଲା।
କାର୍ଯ୍ୟକ୍ରମ ରେ ଆଜି ବିଭିନ୍ନ ଚାଷ ସକାଶେ ଚାଷୀ ଓ ବିଶେଷଜ୍ଞ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଚାଷୀ, ଉଦ୍ୟୋଗୀ, ସ୍ୱୟଂ ସହାୟକ ମହିଳା ଗୋଷ୍ଠି ଆଦି ଯୋଗ ଦେଇଥିଲେ। ଏଥିରେ ବିଭିନ୍ନ କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ସାହୁ ଏହି ମେଳାକୁ ସଫଳ କରିଥିବାରୁ ସମସ୍ତ ପ୍ରତିନିଧି ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।