ରାଉରକେଲା : ଉତ୍ତରାଖଣ୍ଡ ଟନେଲରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର ପାଇଁ ରାଉରକେଲାରୁ ଗଲା ପାଇପ।। ଏଆର ଫୋର୍ସ ବିମାନରେ ଗଲା ପାଇପ।
ରାଉରକେଲା : ୨୦/୧୧ (ସତ୍ୟାନ୍ୟୁଜ) ଉତ୍ତରାଖଣ୍ଡରେ ନିର୍ମାଣଧୀନ ଟନେଲ ଭୁଷୁଡି ପଡିବାରୁ ସେଠାରେ ଫସି ରହି ଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟରେ ରାଉରକେଲା ସାମିଲ ହୋଇଛି। ଅଜି ଭାରତୀୟ ବାୟୁ ସେନାର ଦୁଇଟି ବିମାନରେ ରାଉରକେଲା ଇସ୍ପାତ କାରଖାନାରେ ନିର୍ମିତ ସ୍ୱତନ୍ତ୍ର ଲୌହ ପାଇପ ପଠାଯାଇଛି। ଏହି ଲୌହ ପାଇପ ଉଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯିବ। ଆସନ୍ତାକାଲି ମଧ୍ୟ ପର୍ଯ୍ୟାୟ କ୍ରମେ ରାଉରକେଲାରୁ ପାଇପ ଉତ୍ତରାଖଣ୍ଡ ଯିବ। ଏଥିପାଇଁ ରାଉରକେଲା ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସୂଚନାଯୋଗ୍ୟଯେ ଦୀର୍ଘ ୯ ଦିନ ହେଲା ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକ ମାନଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ। ସେମାନଙ୍କୁ ପାଇପ ଯୋଗେ ଅକ୍ସିଜେନ ଏବଂ ଖାଦ୍ୟ ପଦାର୍ଥ ଯୋଗାଇ ଦିଆଯାଉଛି। ତେବେ ଉଦ୍ଧାର କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରାପ୍ତ ବିଦେଶୀ ବିଶେଷଜ୍ଞଙ୍କୁ ନିୟୋଜିତ କରା ଗଲାଣି। ଉଦ୍ଧାର କାର୍ଯ୍ୟ ଲାଗି ଆଜି ରାଉରକେଲାରୁ ସ୍ୱତନ୍ତ୍ର ପାଇପ ଯିବା ପରେ ଫସି ରହିଥିବା ଶ୍ରମିକ ମାନଙ୍କୁ ଖୁବ ଶୀଘ୍ର ଉଦ୍ଧାର କରାଯିବା ନେଇ ରାଉରକେଲା ବାସୀ ଆଶା ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଟନେଲ ଭିତରେ ଫସି ରହିଥିବା ୪୧ ଜଣଙ୍କ ମଧ୍ୟରୁ ଓଡ଼ିଶାର ୫ ଜଣ ଶ୍ରମିକ ଅଛନ୍ତି।