ସୁନ୍ଦରଗଡ : ସ୍ପିରୁଲିନା ମିଶ୍ରିତ ଚିକ୍କୀ ପ୍ରସ୍ତୁତି ଦେଉଛି ରୋଜଗାର।। ସ୍ୱୟଂ ସହାୟିକା ଗୋଷ୍ଠି ପ୍ରସ୍ତୁତ କରୁଛନ୍ତି ଚିକ୍କି।। ପ୍ରତି ସଦସ୍ୟଙ୍କ ରୋଜଗାର ମାସକୁ ୫ ହଜାର।
ସୁନ୍ଦରଗଡ: ୨୦/୧୧ (ସତ୍ୟାନ୍ୟୁଜ) : ସୁନ୍ଦରଗଡ ସହରର ରଂଗାଢିପାରେ ଅଛି ମା” ଲକ୍ଷ୍ମୀ ଉତ୍ପାଦକ ସଂଘ । ଏହି ସଂଘ ଦ୍ୱାରା ପ୍ରସ୍ତୁତ କରାଯାଉଛି ସ୍ପିରୁଲିନା ମିଶ୍ରିତ ଚିକ୍କି । ଚିକ୍କି କହିଲେ ଗୁଡରେ ବନ୍ଧା ହୋଇଥିବା ବାଦାମକୁ ବୁଝାଏ । ଗୁଡକୁ ଗରମ କଡେଇରେ ଭାଜି ସେଥିରେ ବାଦାମ ଏବଂ ମିଲେଟକୁ ମିଶାଯାଇ ଏହାକୁ ଭଜାଯାଏ । ପରେ ଏହାକୁ ଥଣ୍ଡା କରି ଛୋଟ ଛୋଟ କରି କାଟି ଜରି ଦିଆ ପ୍ୟାକେଟରେ ଭର୍ତ୍ତି କରି ବିକ୍ରି ପାଇଁ ପଠାଇ ଦିଆଯାଏ । ଏହା ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ହୋଇଥିବା ବେଳେ ମିଠା ହୋଇଥିବାରୁ ଏହା ଶିଶୁମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ।
ତେବେ ରଂଗାଢିପା ଥିବାରେ ମା” ଲକ୍ଷ୍ମୀ ଉତ୍ପାଦକ ସଂଘ ଆଉ ପାଦେ ଆଗକୁ ଯାଇ ତିଆରି କରିଛି ସ୍ପିରୁଲିନା ଯୁକ୍ତ ଚିକ୍କି । ଏକ ପ୍ରକାର ଶୈବାଳକୁ ଶୁଖାଇ ତାକୁ ପାଉଡର କରି ସ୍ୱିରୁଲିନା ପାଉଡର ତିଆରି ହୁଏ । ବଜାରରେ ଏହି ପାଉଡର ମୂଲ୍ୟ କେଜି ପିଛା ୮୦୦ ରୁ ୯୦୦ ଟଙ୍କା ହେବ । ସ୍ୱିରୁଲିନା ଚୀନ ପରି ଦେଶରେ ବେଶ ପୂର୍ବରୁ ପରିଚିତ । ଭାରତର କର୍ଣ୍ଣାଟକ ରାଜ୍ୟରେ ମଧ୍ୟ ଏହାର ପ୍ରଚୁର ଉତ୍ପାଦନ ହୁଏ । ତେବେ ଓଡିଶାରେ କ୍ରମେ କ୍ରମେ ଏହାର ଲୋକପ୍ରିୟତା ବଢିବାରେ ଲାଗିଛି । ସ୍ପିରୁଲିନାକୁ ସୁପର ଫୁଡ୍ କୁହାଯାଏ କାରଣ ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଥାଏ ଯାହା ଶିଶୁର ଶାରିରୀକ ଏବଂ ମାନସିକ ବିକାଶରେ ସହାୟକ ହୋଇଥାଏ ।
ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ସହାୟତାରେ ସୁନ୍ଦରଗଡର 5ଗୋଟି ସ୍ଥାନରେ ଆରମ୍ଭ ହୋଇଛି ସ୍ୱିରୁଲିନା ଯୁକ୍ତ ଚିକ୍କି ପ୍ରସ୍ତୁତି କେନ୍ଦ୍ର ।। ରଂଗାଢିପାଠାରେ ଥିବା ଏହି ଚିକ୍କି ପ୍ରସ୍ତୁତି କେନ୍ଦ୍ରରେ ପାଖାପାଖି ୪୦ ଜଣ ସ୍ୱୟଂ ସହାୟକ ଦଳର ମହିଳା କାମ କରୁଛନ୍ତି । ଏହି ମହିଳାମାନେ ୧୦ଟି ସ୍ୱୟଂ ସହାୟକ ଦଳର ସଦସ୍ୟ ଅଛନ୍ତି । ଏମାନେ ଦୁଇଟି ସିଫ୍ଟରେ କାମ କରନ୍ତି । ପ୍ରଥମ ସିଫ୍ଟ ସକାଳ ୧୦.୦୦ ରୁ ଅପରାହ୍ନ୨.୦୦ଟା ଯାଏ ଚାଲୁଥିବାବେଳେ ଅନ୍ୟ ସିଫ୍ଟ ଅପରାହ୍ନ ୨.୦୦ ରୁ ସଂଧ୍ୟା ୬.୦୦ ଯାଏ ଚାଲେ । ଏଠାରେ କାମ କରୁଥିବା ମହିଳାମାନଙ୍କୁ ଉପଯୁକ୍ତ ଭାବେ ତାଲିମ୍ ଦିଆଯାଇ ସେମାନଙ୍କୁ ପୂର୍ଣ୍ଣ ଭାବେ ପ୍ରଶିକ୍ଷିତ କରିଦିଆଯାଇଛି । ଏମାନେ ବାଦାମ ଭାଜିବା, ଗୁଡ ରାନ୍ଧିବା, ଗୁଡରେ ବାଦାମକୁ ରାନ୍ଧିବା ପୁଣି ଏହାକୁ ଥଣ୍ଡା କରିବାସହ ଏହାକୁ ବେଲିବା ଏବଂ ଛୋଟ ଛୋଟ ଖଣ୍ଡରେ କାଟି ଏହାକୁ ଜରିରେ ପ୍ୟାକିଂ କରି ବିକ୍ରୀପାଇଁ ପ୍ରସ୍ତୁତ କରିବା କାମରେ ସିଦ୍ଧହସ୍ତ ।
୨୦୨୧ ଅଗଷ୍ଟରୁ ଆରମ୍ଭ ହୋଇଥିବା ଏହି ଉତ୍ପାଦକ ସଂଘ ଦୈନିକ ଦୁଇ କ୍ୱିଂଟାଲକରି ମାସକୁ ୪୫ ରୁ ୫୦ କ୍ୱିଂଟାଲ ଯାଏ ସ୍ୱିରୁଲିନା ଯୁକ୍ତ ଚିକ୍କି ପ୍ରସ୍ତୁତ କରିବାରେ ସକ୍ଷମ । ଏହି ଉତ୍ପାଦକ ସଂଘ, ଲେଫ୍ରିପଡା, ସଦର, ଟାଂଗରପାଲ୍ଲୀ, ହେମଗିରି ଏବଂ ବାଲି ଶଙ୍କରା ବ୍ଲକ୍ ର ସମସ୍ତ ଅଂଗନୱାଡି କେନ୍ଦ୍ର ସହ ୩ ଗୋଟି ସିସିଆଇ( ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁସନ)କୁ ସବୁଦିିନ ପାଇଁ ଚି୍କ୍କି ଯୋଗାଇ ଦେଇଥାଏ । ଏହାଦ୍ୱା୍ରା ପାଖାପାଖି ୧୮୦୦୦ ଶିଶୁ ଉପକୃତ ହେଉଛନ୍ତି ଏବଂ ସେମାନଙ୍କ ପୁଷ୍ଟିର ହାର ବଜାୟ ରଖାଯାଇପାରେ ।ଏହି ଚିକ୍କି ଉତ୍ପାଦନ ଦ୍ୱାରା ମାସକୁ ପ୍ରାୟ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସବୁ ଖର୍ଚ୍ଚଯାଇ ମାସକୁ୯ ଲକ୍ଷ ଟଙ୍କା ରୋଜଗାର କରାଯାଇପାରୁଛି । ଯାହା ଫଳରେ ପ୍ରତି ସଦସ୍ୟ ମାସକୁ ଘରକୁ ୫୦୦୦ ରୁ ୬୦୦୦ ଟଙ୍କା ରୋଜଗାର କରି ନେଇପାରୁଛି । ଏହା ସେମାନଙ୍କର ପିଲାଙ୍କ ପାଠପଢା , ଘରର ଅନ୍ୟାନ୍ୟ ଖର୍ଚ୍ଚ ଉଠାଇବାରେ ବେଶ୍ ସହାୟକ ହେଉଛି ।
ଗତ ଦୁଇ ବର୍ଷ ଧରି ଏମାନେ ଏହି ଚିକ୍କି ପ୍ରସ୍ତୁତି କାର୍ଯ୍ୟକୁ ବେଶ୍ ସୁରୁଖରୁରେ ଚଳାଇ ଆସୁଛନ୍ତି । ଏମାନେ ଯେ କେବଳ ଚିକ୍କି ପ୍ରସ୍ତୁତି କରନ୍ତି ତାହା ନୁହେଁ ବରଂ ପ୍ରତି ମାସର ଶେଷ ସପ୍ତାହରେ ଗାଡି କରି ଏହି ଚିକ୍କିକୁ ଅଂଗନୱାଡି କେନ୍ଦ୍ରଯାଏ ପହଁଚାଇବାର ଗୁରୁଦାୟିତ୍ୱ ମଧ୍ୟ ବହନ କରିଥାଆନ୍ତି । ମୋଟ୍ ଉପରେ କହିବାକୁ ଗଲେ ଏହି ସ୍ପିରୁଲିନା ଚିକ୍କି ପ୍ରସ୍ତୁତି ରଂଗାଢିପା ଅଂଚଳର ଚାଳିଶ ମହିଳାଙ୍କୁ ଆର୍ଥିକ ରୁପେ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ସଶକ୍ତ କରିବାରେ ସହାୟକ ହୋଇଛି ।