ରାଉରକେଲା : ୧୬/୧୧ (ସତ୍ୟାନ୍ୟୁଜ) ରାଉରକେଲା ବାସୀଙ୍କ ଆମୋଦ ପ୍ରମୋଦ ପାଇଁ ଏବଂ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ସହରରେ ଅନେକ ପ୍ରକଳ୍ପର ଉନ୍ନତି କରଣ କରାଯାଇଛି। ଏବେ ସହରର ସବୁଠାରୁ ବଡ଼ ଆମୋଦ ପ୍ରମୋଦ ପାର୍କ ନିର୍ମାଣ କରାଯାଉଛି କୋଏଲ ନଗର ଠାରେ।’ ‘ବିଗ୍ ରିକ୍ରେସନ୍ ପାର୍କ’ ନାମରେ ଏହାକୁ ନାମିତ କରାଯାଇଛି। ୩୬ ଏକର ଜମିରେ ନିର୍ମାଣଧୀନ ଏହି ପାର୍କରେ ଛୋଟ ପିଲାଙ୍କ ଠାରୁ ନେଇ ବରିଷ୍ଠ ନାଗରିକଙ୍କ ଲାଗି ବିଭିନ୍ନ ପ୍ରକଳ୍ପର ନିର୍ମାଣ ଚାଲିଛି। ଛୋଟ ପିଲା ଏବଂ ବୟସ୍କଙ୍କ ପାଇଁ ଏଠାରେ ଦୁଇଟି ବଡ଼ ପୋଖରୀ ନିର୍ମାଣ କରାଯାଇଛି। ଏଠାରେ ନୌକା ବିହାରର ବ୍ୟବସ୍ଥା କରାଯାଇଛି। ଆଉ ଦୁଇଟି ପଦ୍ମ ଏବଂ କଇଁ ପୋଖରୀ ମଧ୍ୟ କରାଯାଉଛି। ପିକନିକ୍ ପାଇଁ ପାର୍କରେ ଅନେକ ପିଣ୍ଡି କରାଯାଇଥିବା ବେଳେ ସହର ମଧ୍ୟରେ ବଣଭୋଜି ପାଇଁ ଏକ ଜଙ୍ଗଲ ପରିବେଶ ସୃଷ୍ଟି କରାଯାଉଛି। ବିବାହ ଏବଂ ଅନ୍ୟ ମାଙ୍ଗଳିକ କାର୍ଯ୍ୟକ୍ରମ ପାଇଁ ସମସ୍ତ ବ୍ୟବସ୍ଥା ଏଠାରେ ରହିଛି। ସ୍ମାର୍ଟସିଟି ଲିମିଟେଡ଼ ପକ୍ଷରୁ ପାଖାପାଖି ୩୦ କୋଟି ଟଙ୍କା ବ୍ୟୟରେ ଏହି ପାର୍କ ନିର୍ମାଣ କରାଯାଉଛି। ଏହାର ନିର୍ମାଣ ଦାୟିତ୍ୱ ନେଇଛନ୍ତି ଓଡିଶା ବନ ଉନ୍ନୟନ ନିଗମ କର୍ତ୍ତୃପକ୍ଷ।
ଆମୋଦ ପ୍ରମୋଦ ବ୍ୟତୀତ ଏଠାରେ ଏକ ଔଷଧୀୟ ପାର୍କ ମଧ୍ୟ କରାଯାଉଛି। ଏହାଛଡା ସ୍କାର୍ଟିଙ୍ଗ କ୍ରୀଡାର ପ୍ରଶିକ୍ଷଣ ଦେବା ପାଇଁ ଏଠାରେ ଏକ ସ୍କାର୍ଟିଙ୍ଗ ୟାର୍ଡ ମଧ୍ୟ କରାଯାଉଛି। ଭୁବନେଶ୍ୱର ପରେ ରାଉରକେଲାରେ ଏହି ସ୍ପୋର୍ଟସ୍ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଓଡ଼ିଶା ଓଏଫଡ଼ିସି ଡି ଏମ୍ ବିଶ୍ଵଜିତ ରାଉତ କହିଛନ୍ତି।
ଏହି ‘ବିଗ୍ ରିକ୍ରେସନ୍ ପାର୍କ’ ପ୍ରଥମେ ୨୦୨୦ ମସିହାରେ ୧୨ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ କରା ଯାଇଥିଲା। ଏବେ ଏହି ପ୍ରକଳ୍ପର ନିର୍ମାଣରେ ୨୮ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ପାର୍କ ନିର୍ମାଣ ସରିଲେ ରାଉରକେଲା ବାସୀଙ୍କ ଆମୋଦ ପ୍ରମୋଦ ପାଇଁ ଏହା ନିଶ୍ଚିତ ଭାବେ ଏକ ମହତ୍ୱପୂର୍ଣ୍ଣ ସ୍ଥାନ ହେବ ବୋଲି ଆଶା କରାଯାଉଛି।