ରାଉରକେଲା : ଲାଠିକଟା ବ୍ଲକର ୭ ଟି ପଞ୍ଚାୟତରେ ଉନ୍ନୟନମୂଳକ କାମ ନିମ୍ନମୂଖୀ।। ଅଞ୍ଚଳରେ ବିକାଶ ପାଇଁ ବିଡ଼ିଓଙ୍କ ସହ ଆଲୋଚନା କଲେ ପ୍ରଶାନ୍ତ ସେଠୀ।

0 377

ରାଉରକେଲା : ୧୫/୧୧ (ସତ୍ୟାନ୍ୟୁଜ) ଲାଠିକଟା ବ୍ଲକ ଅଧିନସ୍ଥ ସାତ ଗୋଟି ପଞ୍ଚାୟତର ସାମଗ୍ରିକ ବିକାଶ ନେଇ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଆଜି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚାରୁଲତା ସିଂଙ୍କ ସହ ଆଲୋଚନା କରିବା ସହ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l ନୂତନ ବିଡ଼ିଓ ସିଂଙ୍କୁ ସ୍ୱାଗତ କରିବା ସହ ତାଙ୍କ ତତ୍ୱାବଧାନରେ ସରକାରଙ୍କ ବିକାଶ ମୂଳକ ଯୋଜନା ସଫଳ ରୂପାୟନ ହୋଇ ପାରିବ ବୋଲି ପ୍ରଶାନ୍ତ ଆଶା ବ୍ୟକ୍ତ କରିଥିଲେ l ଏହି ଅବସରରେ ଆଦିବାସୀ ବହୁଳ 7ଟି ପଂଚାୟତର ବିକାଶ ନେଇ ବିଡ଼ିଓଙ୍କ ସହ ଆଲୋଚନା କରାଯାଇଥିଲା l ପଂଚାୟତରେ ବସବାସ କରୁଥିବା ଲୋକଙ୍କ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ ନେଇ କଲ୍ୟାଣ ମଣ୍ଡପ ନିର୍ମାଣ, ଯୁବ କ୍ରୀଡ଼ାବିତ ତଥା ନୂତନ ପ୍ରତିଭାଙ୍କୁ ଲୋକ ଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଉନ୍ନତ ମାନର ଖେଳ ପଡିଆ ସାଙ୍ଗକୁ ମିନି ଷ୍ଟାଡିୟମ ନିର୍ମାଣ ପ୍ରତି ଧ୍ୟାନ ଦେବାକୁ ପ୍ରଶାନ୍ତ ବିଡ଼ିଓ ସିଂଙ୍କୁ ପ୍ରସ୍ତାବ ଦେଇଥିଲେ l ଆଦିବାସୀ ଭାଇ ଭଉଣୀଙ୍କ ପାରମ୍ପରିକ କ୍ରୀଡା ଯେମିତି ଉଜ୍ଜୀବିତ ରହିବ ସେ ଦିଗରେ ଧ୍ୟାନ ରଖିବାକୁ ସେ ଅନୁରୋଧ କରିଥିଲେ l ଆବଶ୍ୟକତା ଅନୁସାରେ ବିଭିନ୍ନ ପଂଚାୟତ ରାସ୍ତାକୁ ଆଲୋକୀକରଣ କରିବା, ପୁରାତନ ଖେଳ ପଡିଆର ପୁନରୁଦ୍ଧାର ସହ ଏହାକୁ ଉନ୍ନତ କରି ଗଢି ତୋଳିବା, ଗ୍ରାମ୍ୟ ପୁଷ୍କରିଣୀର ପୁନରୁଦ୍ଧାର କରିବା ଉପରେ ପ୍ରଶାନ୍ତ ବିଡ଼ିଓଙ୍କୁ ପ୍ରଦାନ କରିଥିବା ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି l ସେହିଭଳି ସମସ୍ତଙ୍କ ପାଇଁ ସ୍ଵଛ ପାନୀୟ ସହ ସରକାରଙ୍କ ଭତ୍ତା ଯୋଜନାକୁ ସଫଳ ଭାବେ ରୂପାୟନ କରିବାକୁ ସିଙ୍ଗଲ ୱାୟଣ୍ଡୋ ବ୍ୟବସ୍ଥା କରିବା, ପ୍ରତ୍ୟକ ପଂଚାୟତରେ ଭିମଭୋଇ ଭିନ୍ନକ୍ଷମ ଶିବିର ଆୟୋଜନ କରି ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିବା ନେଇ ପ୍ରଶାନ୍ତ ଗୁରୁତ୍ୱାରୋପ କରିଛନ୍ତି l ହାତୀ ଉପଦ୍ରଵ କାରଣରୁ ଦୀର୍ଘ ବର୍ଷ ହେବ କେତକ ପଂଚାୟତ ବାସିନ୍ଦା ନାନା ସମସ୍ୟାର ସମ୍ମୁଖୀନ ହେବା ସହ ଫସଲ ଉଜୁଡି ଯାଉଥିବାରୁ ସେ ଉଦବେଗ ପ୍ରକାଶ କରି ଏହାର ସ୍ଥାୟୀ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି l ଏହି ସାକ୍ଷାତ ଆଲୋଚନା କାଳରେ ପ୍ରଶାନ୍ତଙ୍କ ସହ ତନ୍ମୟ ସେଠୀ, ବିନୟଭୂଷଣ ଜେନା, ସରୋଜ ନାୟକ, ନୀଳମଣି ପୂର୍ତ୍ତି, ବିଭାନ ମିଞ୍ଜ, ରଶ୍ମି ଯୋଜ ଓ ମମତା ସାହୁ ଉପସ୍ଥିତ ଥିଲେ l

Leave A Reply

Your email address will not be published.