ରାଉରକେଲା : ଦ୍ରୁତଗାମୀ କାର ଧକ୍କାରେ ବଣିକ ସଙ୍ଘ କର୍ମଚାରୀଙ୍କ ମୃତ୍ୟୁ।। ହକି ଛକ ନିକଟରେ ସାଇକେଲକୁ ଧକ୍କା ଦେଲା କିଆ କାର।
ରାଉରକେଲା : ୧୩/୧୧ (ସତ୍ୟାନ୍ୟୁଜ) ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ରାଉରକେଲା ବଣିକ ସଂଘର ଜଣେ କର୍ମଚାରୀ ମୃତ୍ୟୁ ବରଣ କରିଛନ୍ତି। ଦୁର୍ଘଟଣାର ଶିକାର ସୌରଭ ମହାପାତ୍ର ତାଙ୍କ ସାଇକେଲରେ ବଣିକ ସଙ୍ଘ କାର୍ଯ୍ୟାଳୟ ଆସୁଥିବା ବେଳେ ହକି ଛକ ନିକଟରେ ଏକ ଦ୍ରୁତଗାମୀ କିଆ କାର ତାଙ୍କ ସାଇକେଲକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ ସୌରଭ ୨୦ ଫୁଟ ଉପରକୁ ଉଠି ଯାଇ କାର ବୋନେଟ ଉପରେ ପଡ଼ିଥିଲେ। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଏହି ସମୟରେ ସେହି ରାସ୍ତାରେ ବିରମିତ୍ରପୁର ବିଧାୟକ ଶଙ୍କର ଓରାମ ଯାଉଥିବା ବେଳେ କିଆ କାର ଧକ୍କାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ପରେ ବିଧାୟକ ଶ୍ରୀ ଓରାମ ଏକ ଆମ୍ବୁଲାନ୍ସ ଯୋଗେ ଦୁର୍ଘଟଣାର ଶିକାର ସୌରଭଙ୍କୁ ଜେପି ହସପିଟାଲ ପଠାଇଥିଲେ। ଖବର ପାଇ ରାଉରକେଲା ବଣିକ ସଙ୍ଘର ପୂର୍ବତନ ସଭାପତି ସୁବ୍ରତ ପଟ୍ଟନାୟକ ହସପିଟାଲରେ ପହଞ୍ଚି ସୌରଭଙ୍କ ଚିକିତ୍ସା ବ୍ୟବସ୍ଥା କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସୌରଭଙ୍କ ମୃତ୍ୟୁ ହୋଇ ଯାଇଥିଲା। ଆସନ୍ତାକାଲି ସୌରଭଙ୍କ ଅନ୍ତିମ ସଂସ୍କାର କରାଯିବ। ଦିନ ୧୧ ଟା ବେଳେ ବଣିକ ସଙ୍ଘ କାର୍ଯ୍ୟାଳୟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା।ପରେ ଅନ୍ତିମ ସଂସ୍କାର ଯାତ୍ରା ତାଙ୍କ ପାନପୋଷ ସ୍ଥିତ ବାସ ଭାବନରୁ ବାହାରିବ।
ଅନ୍ୟପକ୍ଷରେ ରଘୁନାଥପାଲି ପୋଲିସ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରି ତଦନ୍ତ କରୁଛନ୍ତି। କାରଟି ବନ୍ଧମୁଣ୍ଡା ଅଞ୍ଚଳର ବୋଲି ଜଣା ପଡ଼ିଛି।