ସୁନ୍ଦରଗଡ: ୯/୧୧ (ସତ୍ୟାନ୍ୟୁଜ) ଓଡିଶା ରାଜ୍ୟ ବିଦ୍ୟାଳୟ କ୍ରୀଡା ଆସୋସିଏସନ ଏବଂ ଜିଲ୍ଲା ବିଦ୍ୟାଳୟ କ୍ରୀଡା ଆସୋସିଏସନ , ସୁନ୍ଦରଗଡର ମିଳିତ ଆନୂକୂଲ୍ୟରେ ଓଡିଶା ରାଜ୍ୟ ବିଦ୍ୟାଳୟ ସମୁହ ଦୌଡକୁଦ ପ୍ରତିଯୋଗୀତା ଆଜି ସ୍ଥାନୀୟ ଭବାନୀପୁର ସ୍ପୋର୍ଟସ କମ୍ପଲେକ୍ସ ଠାରେ ଉଦ୍ଘାଟିତ ହୋଇଯାଇଛି।
ନଭେମ୍ବରରୁ ୮ ତାରିଖରୁ ନଭେମ୍ବର ୧୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କ୍ରୀଡା ପ୍ରତିଯୋଗୀତାରେ ମୋଟ୍ ୩୧ ଟି କ୍ରୀଡା ଜିଲ୍ଲାରୁ ୧୪ ବର୍ଷ ଏବଂ ୧୭ ବର୍ଷରୁ କମ୍ ବୟସର ୬୦୬ ଜଣ ବାଳିକା ବାଳକ ୫୪ ଟି ପ୍ରତିଯୋଗୀତାରେ ଭାଗ ନେଇଛନ୍ତି। ଏହା ସହିତ ଏଥିରେ ବିଭିନ୍ନ ଜିଲ୍ଲାରୁ ୧୫୦ରୁ ଅଧିକ କ୍ରୀଡା ଶିକ୍ଷକ, ସଂଗଠକ, ରେଫରୀ ଏବଂ କୋଚ୍ ମାନେ ମଧ୍ୟ ଯୋଗ ଦେଇଛନ୍ତି ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ମାଝୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରତିଯୋଗିତା ରେ ଯୋଗ ଦେଇଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହିତ ସମସ୍ତ ବାଧାବିଘ୍ନ କୁ ପଛରେ ପକାଇ କ୍ରୀଡାବିତ୍ ମାନେ ଆଗେଇ ଆସି ନିଜ ପ୍ରତିଭା ବଳ ରେ ରାଜ୍ୟ ତଥା ଦେଶ କୁ ଗୌରବାନ୍ଵିତ କରିବାକୁ ଶ୍ରୀ ମାଝୀ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ରେ ଭବାନୀ ଶଙ୍କର ହାଇ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଆରାଧନା ଭୋଇ ସ୍ବାଗତ ଅଭିଭାଷଣ ରଖିଥିଲେ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ଏବଂ ସ୍ୱାଗତିକା ପଣ୍ଡା ସଂଯୋଜନା କରିଥିଲେ। ଏହି ଉଦ୍ଘାଟନୀ ଉତ୍ସବ ସହିତ ଗତ କାଲି ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ମେଡାଲ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।
ଏହି ଅବସରରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ର ଆଞ୍ଚଳିକ ନିର୍ଦ୍ଦେଶକ(ସମ୍ବଲପୁର ଜୋନ )ଶ୍ରୀ ବିକାଶ ପ୍ରଧାନ, ଟିଟଲାଗଡ ଡି ଏ ଭି ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ଶିବପ୍ରସାଦ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସାରଙ୍ଗଧର ବରିହା , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।