ରାଉରକେଲା : ଉଦିତନଗରରେ ଖୋଲିଲା ସ୍ୱୟଂ ସହାୟକ ଗୋଷ୍ଠୀର ହାତ ତିଆରି ଦୀପ ଷ୍ଟଲ।। ଉଦଘାଟନ କଲେ ଆରଏମସି କମିଶନର।

0 384

ରାଉରକେଲା : ୯/୧୧ (ସତ୍ୟାନ୍ୟୁଜ) ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଏହା ପୂର୍ବରୁ ରାଉରକେଲା ମହାନଗର ନିଗମ ତରଫରୁ ସ୍ଥାନୀୟ ଉଦିତନଗର ସ୍ଥିତ ସିଟି ଲାଇଭଲିହୁଡ ସେଣ୍ଟର ଠାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ହାତ ତିଆରି ଦୀପର ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଛି । ଗୁରୁବାର ଦିନ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡାକ୍ତର ଶୁଭଙ୍କର ମହାପାତ୍ର ଏହି ଷ୍ଟଲ୍ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ପରିବେଶ ଅନୁକୂଳ ତଥା ପ୍ରଦୂଷଣମୁକ୍ତ ଦୀପାବଳି ପାଳନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ସ୍ଵଚ୍ଛ ଭାରତ ମିଶନ ଅଧୀନରେ ‘ସ୍ଵଚ୍ଛ ଦୀପାବଳି, ଶୁଭ ଦୀପାବଳି’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଅବସରରେ ସାରା ଦେଶରେ ସହରାଞ୍ଚଳ ଗୁଡିକରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ରାଉରକେଲା ମହାନଗର ନିଗମ ତରଫରୁ ମଧ୍ୟ ପ୍ରୟାସ ଜାରି ରହିଛି। ଏଥିପାଇଁ ଦୀପାବଳି ଅବସରରେ ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ଦେବା ପାଇଁ ସ୍ଥାନୀୟ ଏସଏଚଜି ମହିଳାଙ୍କ ହାତ ତିଆରି ସାମଗ୍ରୀର ବିକ୍ରୟ ନିମନ୍ତେ ୪ଟି ଷ୍ଟଲ ଖୋଲାଯାଇଛି। ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ରାଉରକେଲା ମହାନଗର ନିଗମ ତରଫରୁ ଏହି ଅଭିନବ ପଦକ୍ଷେପ ନିଆଯାଇଛି।

ଏଥିରେ ରାଉରକେଲା ଟିମ୍ବର କଲୋନୀର ଜୟ ମାତା ଦି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ହାତ ତିଆରି ମାଟି ଦୀପ ଓ ମୂର୍ତ୍ତି ସହ ଗୋବରରେ ତିଆରି ବିଭିନ୍ନ ଉତ୍ପାଦ, ମହମବତୀ, ଜଡାତେଲ, ଆରିଷା ପିଠା, ମାଣ୍ଡିଆରୁ ପ୍ରସ୍ତୁତ ମିକ୍ସଚର, କୁକିଜ ଓ ପୂଜା ସାମଗ୍ରୀ ବିକ୍ରୟ କରାଯାଉଛି। ଏଥି ସହ ମା ଦୁର୍ଗା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ଵାରା ରାଉରକେଲାରେ ଥିବା ବର୍ଜ୍ୟବସ୍ତୁ ପ୍ରକ୍ରିୟା କରଣ କେନ୍ଦ୍ରରୁ ଉତ୍ପାଦିତ ଖତର ବିକ୍ରୟ କରାଯାଉଛି। ଏହା ସହ ବବଲ୍ସ ଆଣ୍ଡ ଫ୍ଲେମ ତରଫରୁ ଏକ ଷ୍ଟଲରେ ଅର୍ଗାନିକ ସାବୁନ୍ ଓ ବ୍ରେସଲେଟ, ମହମବତୀ ବିକ୍ରୟ କରାଯାଉଛି।

ଆଜିର ଏହି ଷ୍ଟଲ ଉଦ୍ଘାଟନୀ ସମୟରେ ଆରଏମସି ଡେପୁଟି କମିଶନର ସୁଧାଂଶୁ ଭୋଇ, ଆସିଷ୍ଟାଣ୍ଟ କମିଶନର ନରେନ୍ଦ୍ର ପ୍ରଧାନ ଓ ଅନ୍ୟ ଆରଏମସି କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ଷ୍ଟଲ୍ ଦୀପାବଳି ପର୍ଯ୍ୟନ୍ତ ଖୋଲିବାକୁ ଥିବା ବେଳେ ରାଉରକେଲାବାସୀ ଚାଇନା ଲାଇଟ୍ କିମ୍ବା ଅନ୍ୟାନ୍ୟ ଲାଇଟ ବଦଳରେ ଦୀପାବଳି ଉତ୍ସବକୁ ସ୍ଥାନୀୟ ମହିଳାଙ୍କ ହାତ ତିଆରି ଦୀପର ଆଲୋକରେ ଘର ଆଲୋକିତ କରିବାକୁ ରାଉରକେଲା ମହାନଗର ନିଗମ ତରଫରୁ ଅନୁରୋଧ କରାଯାଇଛି। କେବଳ ସେତିକି ନୁହେଁ ବରଂ ଦୀପାବଳି ଅବସରରେ ସ୍ଵଦେଶୀ ଉତ୍ପାଦର ବ୍ୟବହାର କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ଏହା ସହ ପ୍ରଦୂଷଣମୁକ୍ତ ଦୀପାବଳି ପାଇଁ ରାସାୟନିକ ବାଣ ବଦଳରେ ସବୁଜ ବାଣର ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି। ବଜାରରୁ କୌଣସି ଜିନିଷ କିଣିବା ସମୟରେ ପ୍ଲାଷ୍ଟିକ ବଦଳରେ କାଗଜ ବ୍ୟାଗ ବ୍ୟବହାର କରିବା ସହ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ ବର୍ଜନ ଓ ଦୀପାବଳି ଉତ୍ସବ ପାଳନ ପରେ ସହରର ସ୍ଵଚ୍ଛତା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.