ରାଉରକେଲା : ରଙ୍ଗ ବେରଙ୍ଗର ସୁନ୍ଦର ସୁନ୍ଦର ଦୀପ ବନାଉଛନ୍ତି ଏହି ଭିନ୍ନକ୍ଷମ ପିଲା ମାନେ।। ଆତ୍ମନିର୍ଭରଶୀଳ କରିବାକୁ ‘ଆଶାଦୀପ’ ଅନୁଷ୍ଠାନର ପ୍ରୟାସ।
ରାଉରକେଲା : ୯/୧୧ (ସତ୍ୟାନ୍ୟୁଜ) ଏମାନେ ଭିନ୍ନକ୍ଷମ। କିନ୍ତୁ ନୁହନ୍ତି ଅକ୍ଷମ। ବିଭିନ୍ନ ପ୍ରକାର କାମ ଶିଖିବାକୁ ଏବଂ କରିବାକୁ ମନରେ ପ୍ରବଳ ଆଗ୍ରହ। ଅନେକ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରିବାରେ ଏମାନେ ପାରଙ୍ଗମ। ଏବେ ଦୀପାବଳୀ ଲାଗି ଏହି ଭିନ୍ନକ୍ଷମ ମାନେ ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ରଙ୍ଗ ବେରଙ୍ଗର ମାଟି ଦୀପ। ବିଭିନ୍ନ ପ୍ରକାର ରଙ୍ଗ ଦେଇ।ପ୍ରସ୍ତୁତ କରୁଛନ୍ତି ଦୀପ। ଦୀପ ସହ ମହମବତୀ , ଧୂପକାଠି ଆଦି ମଧ୍ୟ ତିଆରି କରୁଛନ୍ତି ରାଉରକେଲାର ‘ଆଶା ଦୀପ’ ଅନୁଷ୍ଠାନର ଏହି ପିଲା ମାନେ। ଲୋକ ମାନେ ମଧ୍ୟ ବହୁ ଆଗ୍ରହ ସହ କିଣୁଛନ୍ତି ଦୀପ।
ଏହି ଭିନ୍ନକ୍ଷମ ପିଲା ମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ରାଉରକେଲା ଛେଣ୍ଡ କଲୋନୀ ସ୍ଥିତ ‘ଆଶା ଦୀପ’ ପକ୍ଷରୁ ଏହି ପ୍ରୟାସ କରାଯାଇଛି। ଲୋକମାନେ ଏଠାକୁ ଆସି ଦୀପ କିଣୁଛନ୍ତି। ଅନଲାଇନରେ ମଧ୍ୟ ଦୀପ କିଣିବା ପାଇଁ ଅର୍ଡର ଆସୁଛି।
ଆଶା ଦୀପ ଅନୁଷ୍ଠାନ ର ଏହି ପିଲା ମାନେ ନିଜକୁ କେବେ ଅକ୍ଷମ ଭାବି ନାହାନ୍ତି। ଆଗ୍ରହ ସହ ବନାଇ ଚାଲିଛନ୍ତି ବିଭିନ୍ନ ସାମଗ୍ରୀ। ସେମାନଙ୍କୁ ଉତ୍ସାହିତ କରିବା ଲାଗି ଦୀପାବଳୀରେ ରଙ୍ଗ ବେରଙ୍ଗ ଦୀପ କିଣିବାକୁ ଆଶା ଦୀପ ପକ୍ଷରୁ ନିବେଦନ କରାଯାଇଛି।