ସୁନ୍ଦରଗଡ଼ : ଦୁଇଦିନରେ ଦୁଇଟି ସେବା କେନ୍ଦ୍ରରୁ ବନ୍ଧୁକ ମୁନରେ ସଶସ୍ତ୍ର ଡକାୟତି।। ଜଣେ ଗିରଫ , ଦୁଇ ବାଇକ ଜବତ।। ୩ ଲୁଟେରା ଫେରାର।
ସୁନ୍ଦରଗଡ଼ : ୩/୧୧ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲାରେ ଏବେ ସଶସ୍ତ୍ର ଲୁଟେରା ମାନଙ୍କ ଗତିବିଧି ବୃଦ୍ଧି ପାଇଛି। ୨୪ ଘଣ୍ଟା ମଧ୍ୟରେ ଦୁଇଟି ଗ୍ରାହକ ସେବା କେନ୍ଦ୍ରରୁ ବନ୍ଧୁକ ମୁନରେ ଲୁଟ୍ ଘଟଣା ପୋଲିସର ନିଦ ହଜାଇ ଦେଇଛି। ବୁଧବାର ଦିନ କୁତ୍ରା ଥାନା ଅନ୍ତର୍ଗତ ପୁରକାପାଲି ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରରୁ ବନ୍ଧୁକ ମୁନରେ ଲୁଟ୍ ହୋଇଥିଲା। ୩ ଜଣ ମୁଖା ପିନ୍ଧା ଡକାୟତ ବାଇକ ରେ ଆସି ବନ୍ଧୁକ ଦେଖାଇ କେନ୍ଦ୍ରରୁ ୨ ଲକ୍ଷ ୧୦ ହଜାର ଟଙ୍କା ଲୁଟି ନେଇଥିଲେ।
ଅନ୍ୟ ଏକ ଘଟଣାରେ ଜିଲ୍ଲାର ରାଜଗାଙ୍ଗପୁର ଥାନା କାଂଶବାହାଲ ଫାଣ୍ଡି ଅନ୍ତର୍ଗତ ସାଗଯୋର ପଞ୍ଚାୟତ ମଝାପଡାରେ ଗୁରୁବାର ଦିନ ଲୁଟ୍ ହୋଇଛି। ଜନ ସେବା କେନ୍ଦ୍ରରେ ବନ୍ଧୁକ ଦେଖାଇ ପ୍ରାୟ ୩୦ ହଜାର ଟଙ୍କା ଲୁଟ କରି ଦୃବୃତ୍ତ ଫେରାର ହୋଇ ଯାଇଥିଲେ। ସୂଚନା ପାଇବା ପରେ ପୋଲିସ ପିଛା କରି ଜଣେ ଲୁଟେରାକୁ କାବୁ କରିଥିବା ବେଳେ ଦୁଇଟି ବାଇକ ଜବତ କରିଛନ୍ତି। ଅନ୍ୟ ୩ ଜଣ ଲୁଟେରା ଜଙ୍ଗଲ ମଧ୍ୟ ଦେଇ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି। ପୋଲିସ ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।
ସୂଚନା ଅନୁସାରେ ଗୁରୁବାର ଦିନ ସାଗଯୋର ଗାଁ ରେ ଥିବା ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ରେ ଦୁଇଟି ବାଇକ ରେ ଚାରି ଜଣ ଦୁର୍ବୁତ୍ତ ଆସି ଗ୍ରାହକ ସେବା କେନ୍ଦ୍ର ରେ ପଶି ସେବା କେନ୍ଦ୍ର ର ପରିଚାଳକ ସରିତା କୁଜୁର ଏବଂ ଜଣେ ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ପ୍ରାୟ ୩୦ ହାଜର ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇ ଥିଲେ । ଘଟଣା ବିଷୟରେ ଖବର ପାଇ ରାଜଗାଙ୍ଗପୁର ପୁଲିସ ଲୁଟେରାଙ୍କ ଖସି ଯିବା ବାଟ ରେ ଜଗି ରହିଥିଲେ । ପୁଲିସ ଓ ଅପରାଧୀ ମାନେ ମୁହାଁ ମୁହିଁ ହୋଇଥିଲେ। ୪ଜଣ ଲୁଟେରା ଙ୍କ ମଧ୍ୟରୁ ଜଣଙ୍କୁ ପୁଲିସ କାବୁ କରି ଥିବା ବେଳେ ଅନ୍ୟ ୩ଜଣ ଲଖୁଆ ଘାଟି ଜଙ୍ଗଲ କୁ ଖସି ଯିବାକୁ ସକ୍ଷମ ହୋଇଥିଲେ। ପୁଲିସ ଅପରାଧୀ ଙ୍କୁ ଧରିବାପାଇଁ ଗୁଳି ଫୁଟାଇଥିଲା । ପୁଲିସ ଫେରାର ଆସାମୀ ଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ରଖିଛି । ପୁଲିସ ଜବତ କରିଥିବା ଦୁଇଟି ବାଇକ ଚୋରା ଗାଡି ହୋଇଥିବା ନେଇ ସନ୍ଦେହ କରୁଛି।