ମୟୁରଭଞ୍ଜ : ରାଜ୍ୟ ବାହାରକୁ ଗୋ ଚାଲାଣ ବେଲଗାମ।। ଗୋରୁ ବୋଝେଇ କଣ୍ଟେନର ଓଲଟି ୪୫ ଗୋରୁ ମୃତ।। ଗୋଚାଲାଣ ବନ୍ଦ ଦାବି କଲା ବଜରଙ୍ଗ ଦଳ।
ମୟୁରଭଞ୍ଜ : ୧/୧୧ (ସତ୍ୟାନ୍ୟୁଜ) ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅର୍ନ୍ତଗତ ଦୁଆରଶୁଣୀ ଘାଟିରେ ମଙ୍ଗଳବାର ଭୋର୍ ସମୟରେ ଏକ ଗୋରୁ ବୋଝେଇ କଣ୍ଟେନର (ଡବ୍ଲ୍ୟୁବି-୧୧-ଡି-୩୭୨୪) ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୪୫ ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି |
ସୂଚନା ଅନୁଯାୟୀ ; ବରଗଡ଼ ଅଞ୍ଚଳରୁ କୋଲକାତା ଯାଉଥିବା କଣ୍ଟେନର୍ଟି ଘାଟି ରାସ୍ତାର ଦ୍ବାରଶୁଣୀ ମନ୍ଦିର ପୂର୍ବରୁ ଏକ ବାଙ୍କରେ ଓଲଟି ପଡ଼ିଥିଲା। ଖବର ପାଇ ଦମକଳ ବାହିନୀ, ବିଶ୍ଵହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମକର୍ତ୍ତା ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ। ତେବେ ଏକ ଖାଲୁଆ ଅଞ୍ଚଳରେ ଗାଡ଼ିଟି ଓଲଟି ଥିବାରୁ ପ୍ରାୟ ୧୧ ଘଣ୍ଟା ଯାଏ ଉଦ୍ଧାର କାର୍ଯ୍ୟ ସରି ପାରିନଥିଲା । ଫଳରେ ଏଥିରେ ଚାଲାଣ ହେଉଥିବା ଅଧିକାଂଶ ଗୋରୁ ଅଣନିଶ୍ୱାସୀ ହୋଇ ମରି ଯାଇଥିଲେ। ୪୫ ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ଟି ଗୋରୁଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଗାଡି
ଓଲଟିବା ପରେ ଅକ୍ଷତ ଅବସ୍ଥାରେ ସେଥିରୁ ଡେଇଁ ପଡ଼ିଥିବା କିଛି ଗୋରୁଙ୍କୁ ସ୍ଥାନୀୟ ଲୋକେ ଘରକୁ ନେଇ ଯାଇଛନ୍ତି। ତେଣୁ କଣ୍ଟେନରରେ ମୋଟ୍ କେତେ ଗୋରୁ ଚାଲାଣ ହେଉଥିଲେ ତାହା ସ୍ପଷ୍ଟ ହୋଇନି। ଘଟଣା ସ୍ଥଳରୁ ଗାଡ଼ିର ଡ଼୍ରାଇଭର ଓ ହେଲପର ଫେରାର ହୋଇଥିବା ଜଣାପଡିଛି। ଗୋ ମାଫିଆ ଓ ଗାଡ଼ି ମାଲିକ ର ସଠିକ୍ ପରିଚୟ ମିଳି ପାରି ନାହିଁ।
ସନ୍ଧ୍ୟା ସାଢ଼େ ୬ଟା ବେଳେ କ୍ରେନ୍ ଯୋଗୁଁ କଣ୍ଟେନରକୁ ଉଠା ଯାଇଥିଲା । ଏହାତଳେ ଆଉ କୌଣସି ଗୋରୁ ଚାପି ହୋଇ ରହି ନଥିବା ପୁଲିସ କହିଛି। ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ ସହାୟତାରେ ଆହତ ଗୋରୁମାନଙ୍କ ଚିକିତ୍ସା ଜାରି ରହିଛି। ସେହିପରି କୌଣସି ଅପ୍ରୀତିକର ସ୍ଥିତି ଏଡ଼ାଇବା ପାଇଁ ଘଟଣାସ୍ଥଳରେ ବାଙ୍ଗିରିପୋଷି, କୁଳିଅଣା, ଝାରପୋଖରିଆ ଓ ବିଶୋଇ ଥାନାର ଆଇଆଇସିଙ୍କ ସହ ୧ ପ୍ଲାଟୁନ୍ ଫୋର୍ସ ମୁତୟନ କରା ଯାଇଥିଲା । ତେବେ ପୁଲିସ ପେଟ୍ରୋଲିଂରେ ଅବ୍ୟବସ୍ଥା, ଗୋ ଚାଲାଣକାରୀ ଓ ପ୍ରଶାସନରର ସଲାସୁତରାରେ ଏହି ବେଆଇନ୍ କାର୍ଯ୍ୟ ଚାଲୁଥିବା ଅଭିଯୋଗ କରି ବଜରଙ୍ଗ ଦଳର କର୍ମକର୍ତ୍ତା ହୋହାଲ୍ଲା କରିଛନ୍ତି। ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବଜରଙ୍ଗ ଦଳ ଦାବି କରିଛନ୍ତି।