ମୟୁରଭଞ୍ଜ : ୩୧/୧୦ (ସତ୍ୟନ୍ୟୁଜ) ଏକ ମିଳିତ ଚଢ଼ାଉରେ ମୟୁରଭଞ୍ଜ ପୋଲିସ ୭୧ ଟି ଦେଶୀ ବନ୍ଧୁକ ଜବତ କରିଛନ୍ତି। ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷା ଅଭିଯାନରେ ଏହି ସଫଳତା ପୋଲିସକୁ ମିଳିଛି। ପୂର୍ବରୁ ଅଗଷ୍ଟ ମାସରେ ପୋଲିସ ଚଢ଼ାଉ କରି ୧୫୬ଟି ଦେଶୀ ବନ୍ଧୁକ ଜବତ କରିବା ସହ ୨୬ ଜଣ ଶିକାରୀଙ୍କୁ ଗିରଫ କରିଥିଲେ। କିଛିଦିନ ହେଲା ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ଶିକାରକୁ ରୋକିବା ସହ ଶିକାରୀଙ୍କୁ ଧରିବା ପାଇଁ ପୋଲିସ ଅପରେସନ ଆରମ୍ଭ ହୋଇଛି। ଶିମିଳିପାଳର ସୁରକ୍ଷା ପାଇଁ ଏବେ ଉଭୟ ପୋଲିସ ଏବଂ ବନ ବିଭାଗ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଜଙ୍ଗଲ ସୁରକ୍ଷା ପାଇଁ ସମୁଦାୟ ୩ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି ବୋଲି ମୟୁରଭଞ୍ଜ ଏସପି ବି ଗଙ୍ଗାଧର କହିଛନ୍ତୁ।
ଶିମିଳିପାଳ ଜଙ୍ଗଲ ଓ ଶିମିଳିପାଳ ପାଦଦେଶରେ ଥିବା ଗ୍ରାମ ମାନଙ୍କରେ ପୋଲିସର ପେଟ୍ରୋଲିଙ୍ଗ ଜାରି ରହିଛି। ଏହି ପେଟ୍ରୋଲିଙ୍ଗ ବିଶୋଇ, ଯଶିପୁର, କରଞ୍ଜିଆ, ଠାକୁରମୁଣ୍ଡା, ବଡ଼ସାହି, ଉଦଳା, ବାଙ୍ଗିରିପୋଷି ସହିତ ସମସ୍ତ ଶିମିଳିପାଳ ପାର୍ଶ୍ଵବର୍ତ୍ତୀ ସମସ୍ତ ଥାନା ଓ ବନବିଭାଗରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।