ରାଉରକେଲା : ରେଳ ବିଭାଗ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ପରେ ବିଶ୍ରାରେ ରେଳ ରୋକ ଆନ୍ଦୋଳନ ପ୍ରତ୍ୟାହୃତ।। ୬ ସପ୍ତାହ ମଧ୍ୟରେ ଦାବି ପୂରଣ ନେଇ ପ୍ରତିଶ୍ରୁତି।

0 352

ରାଉରକେଲା : ୩୦/୧୦ (ସତ୍ୟାନ୍ୟୁଜ) ୧୦ ଘଣ୍ଟା ଧରି ହାଉଡା – ମୁମ୍ବାଇ ରେଳ ମାର୍ଗ ବନ୍ଦ ରହିଲା ପରେ ସୋମବାର ଅପରାହ୍ନ ୪ଟାରେ ସ୍ଥିତି ସ୍ୱାଭାବିକ ହୋଇଛି। ରାଉରକେଲା ନିକଟ ବିଶ୍ରା ଷ୍ଟେସନରେ ରେଳ ରୋକ କାର୍ଯ୍ୟକ୍ରମ ସ୍ଥଗିତ ରଖିବା ପରେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ରେଳବାଇ କର୍ତ୍ତୃପକ୍ଷ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଆଲୋଚନା ପରେ ବିଶ୍ରା ପବ୍ଲିକ ଆକ୍ସନ କମିଟି ପକ୍ଷରୁ କରା ଯାଇଥିବା ରେଳ ରୋକ ପ୍ରତ୍ୟାହାର କରାଯାଇଛି। ଦେଢମାସ ମଧ୍ୟରେ ଉପସ୍ଥାପନ କରାଯାଇଥିବା ଦାବି ଗୁଡିକ ପୂରଣ କରାଯିବା ନେଇ ଲିଖିତ ପ୍ରତିଶୃତି ପାଇବା ପରେ ଆନ୍ଦୋଳନ ସ୍ଥଗିତ ରଖା ଯାଇଛି। ତେବେ ଏହି ଲିଖିତ ପ୍ରତିଶ୍ରୁତିରେ ଆନ୍ଦୋଳନକାରୀ ମାନେ ନିଜ ଅସନ୍ତୋଷ ଜାହିର କରିଛନ୍ତି। ୬ ସପ୍ତାହ ମଧ୍ୟରେ ସମସ୍ତ ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ପବ୍ଲିକ ଆକ୍ସନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।
ସୂଚନାଯୋଗ୍ୟଯେ ବିଶ୍ରା ଷ୍ଟେସନରେ ବିଭିନ୍ନ ଟ୍ରେନର ରହଣି ଦାବିରେ ଆଜି ସକାଳ ୬ଟାରୁ ରେଳ ରୋକ ଆନ୍ଦୋଳନ କରାଯାଇ ଥିଲା। ଏହି ଆନ୍ଦୋଳନରେ ବିଶ୍ରା ପବ୍ଲିକ ଆକ୍ସନ କମିଟି ଆବାହକ ପ୍ରଦୀପ ରାଉତରାୟ , ପୂର୍ବତନ ବିଧାୟକ ଜର୍ଜ ତିର୍କୀ , ହାଲୁ ମୁଣ୍ଡାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.