ମୟୁରଭଞ୍ଜ : ୨୯/୧୦ ( ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଥାନାକୁ ଅଭିଯୁକ୍ତକୁ ପଚରା ଉଚୁରା କରବାକୁ ଆଣିଥିବା ବେଳେ ପୋଲିସ ଅଧିକାରୀ ମାନେ ଅଧିକ ସାବଧାନ ହେବା ଉଚିତ। ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନାରେ ଘଟିଥିବା ଏକ ଘଟଣାରୁ ଏହା ପ୍ରମାଣିତ ହୋଇଛି। ବିଶୋଇ ଥାନା ମହିଳା ପୋଲିସ ଅଧିକାରୀ ମିନି ଭୋଇଙ୍କୁ ଜଣେ ଅଭିଯୁକ୍ତ ବ୍ଲେଡ଼ରେ ଆକ୍ରମଣ କରି ଆହତ କରିଛନ୍ତି। ଥାନା ଅଧିକାରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ବେକ ଏବଂ ହାତରେ ଆଘାତ ଲାଗିଛି। ସୂଚନା ଅନୁଯାୟୀ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗରେ ସୁଶାନ୍ତ ଦେଓ ନାମକ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଅଣା ଯାଇଥିଲା । ଥାନାରେ ମହିଳା ଅଧିକାରୀ ମିନି ଭୋଇ କାମ କରୁଥିବା ବେଳେ ପଛରେ ଛିଡ଼ା ହୋଇଥିବା ଅଭିଯୁକ୍ତ ସୁଶାନ୍ତ ହଠାତ ତାଙ୍କୁ ବ୍ଲେଡ଼ରେ ଆକ୍ରମଣ କରିଥିଲା। ସୁଶାନ୍ତ ମିନି ଭୋଇଙ୍କ ବେକ କାଟିବାକୁ ଉଦ୍ୟମ କରିଥିଲା। ମିନିଙ୍କ ବେକରେ ଆଘାତ ଲାଗିଥିବା ବେଳେ ସେ ବାହାରକୁ ଦୌଡି ପଳାଇ ଥିଲେ। ପରେ ଅନ୍ୟ କର୍ମଚାରୀ ମାନେ ଅଭିଯୁକ୍ତ ସୁଶାନ୍ତଙ୍କୁ କାବୁ କରି ନେଇଥିଲେ। ଏ ସମସ୍ତ ଘଟଣା ସିସିଟିଭି ରେ ରେକର୍ଡ ହୋଇଛି। ପରେ ଅଭିଯୁକ୍ତ ସୁଶାନ୍ତ ଦେଓକୁ ପୋଲିସ ଅଧିକାରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଛି।