ରାଉରକେଲା : ଆସନ୍ତା ୩୦ ତାରିଖରେ ବିଶ୍ରାରେ ରେଳରୋକୋ ଡାକରା।। ବିଭିନ୍ନ ଟ୍ରେନ ରହଣି ଦାବିରେ ଦିଆଯାଇଛି ଏହି ବନ୍ଦ ଡାକରା।
ରାଉରକେଲା : ୨୮/୧୦ (ସତ୍ୟାନ୍ୟୁଜ) ଆସନ୍ତା ୩୦ ତାରିଖରେ ବିଶ୍ରା ପବ୍ଲିକ ଆକ୍ସନ କମିଟି ପକ୍ଷରୁ ରେଳ ରୋକୋ ଡାକରା ଦିଆଯାଇଛି। କରୋନା ମହାମାରୀ ପୂର୍ବରୁ ବିଶ୍ରା ରେଳ ଷ୍ଟେସନ୍ ରେ ଉତ୍କଳ ଏକ୍ସପ୍ରେସ,ସମଲେଶ୍ଵରୀ ଏକ୍ସପ୍ରେସ, ଇସ୍ପାତ ଏକ୍ସପ୍ରେସ, ବୋକାରୋ- ଆଲିପି ଏକ୍ସପ୍ରେସ ଆଦି ଯାତ୍ରୀବାହି ଟ୍ରେନ ଗୁଡିକର ରହଣି ଥିଲା। ପରେ କରୋନା ଆଳରେ ଏହି ଟ୍ରେନର ଷ୍ଟପେଜ କୁ ଉଠାଇ ଦିଆ ଯାଇଥିଲା। ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏହି ସ୍ଥିତି ଜାରି ରହିଛି। ଏଥି ପାଇଁ ବିଶ୍ରା ବାସୀ ବିଭିନ୍ନ ସ୍ତରରେ ଉଦ୍ୟମ କରି ବିଫଳ ହେବା ପରେ ରେଳ ରୋକ ଭଳି ଚରମ ପଦକ୍ଷେପ ନେଇଛନ୍ତି। ଆଜି ରେଳ ବିଭାଗ ଅଧିକାରୀଙ୍କ ସହ ଆଲୋଚନା ବିଫଳ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ବିଶ୍ରା ପବ୍ଲିକ ଆକ୍ସନ କମିଟି ଆବାହକ ପ୍ରଦୀପ ରାଉତରାୟ , ପୂର୍ବତନ ବିଧାୟକ ଜର୍ଜ ତିର୍କୀ , ହାଲୁ ମୁଣ୍ଡାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ ଯେ ଜିଲ୍ଲାର ସର୍ବ ପୁରାତନ ରେଳ ଷ୍ଟେସନ ହେଉଛି ବିଶ୍ରା ରେଳ ଷ୍ଟେସନ୍। ଏହି ଷ୍ଟେସନ୍ ରୁ ଉଡ଼ୁସୁ ଅଞ୍ଚଳରୁ କେନ୍ଦ୍ର ସରକାର ଙ୍କର ବିଭିନ୍ନ ଉଦ୍ୟୋଗ ମାନଙ୍କୁ ଚୂନ ପଥର ପରିବହନ କରା ଯାଉଥିଲା। ଧିରେ ଧିରେ ଏହି ଅଞ୍ଚଳଟି ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଣତ ହୋଇଛି। ଏହି ସମୟରେ କେତେକ ଏକ୍ସପ୍ରେସ ଟ୍ରେନ ରହଣି କୁ ବନ୍ଦ କରିବାକୁ ବିରୋଧ କରିଛନ୍ତି ବିଶ୍ରା ବାସୀ। ପ୍ରତିବାଦରେ ଆଗାମୀ ଅକ୍ଟୋବର ୩୦ ତାରିଖ ଦିନ ବିଶ୍ରା ବନ୍ଦ ସହ ରେଳ ରୋକ ଆନ୍ଦୋଳନ ପାଇଁ ଡାକରା ଦିଆ ଯାଇଛି।