ରାଜଗାଙ୍ଗପୁର : ୨୬/୧୦ (ସତ୍ୟାନ୍ୟୁଜ) ବିଧାୟକ ଦେଖୁଛନ୍ତି ରୋଗୀ। ଲାଗିଛି ଲମ୍ବା ଲାଇନ। ପୂଜା ପାଇଁ ଛୁଟିରେ ଯାଇଛନ୍ତି ଡାକ୍ତର। ରୋଗୀ ସଂଖ୍ୟା ଅନୁସାରେ ଡାକ୍ତରଖାନାରେ ନାହାନ୍ତି ଆବଶ୍ୟକୀୟ ଡାକ୍ତର। ଫଳରେ ହଇରାଣ ହେଉଛନ୍ତି ରୋଗୀ। ଏହା ଦେଖି ନିଜେ ରୋଗୀ ଦେଖୁଛନ୍ତି ସ୍ଥାନୀୟ ବିଧାୟକ। ଏହି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ବିଧାୟକ ଡ଼କ୍ତର ରାଜନ ଏକ୍କା ଦେଖୁଛନ୍ତି ରୋଗୀ। ଚିକିତ୍ସା ଲାଗି ଲାଗିଛି ଲମ୍ଭା ଲାଇନ। ବିଧାୟକ ରାଜନ ନିଜେ ଜଣେ
ଏମ୍ ବି ବି ଏସ୍ ଡାକ୍ତର। ଚାକିରୀ ଛାଡି ରାଜନୀତିରେ ଯୋଗ ଦେଇଥିଲେ। ଏବେ ଚିକିତ୍ସା କ୍ଷେତ୍ରରେ ଲୋକଙ୍କ ଅସୁବିଧା ଦେଖି ନିଜେ ଆରମ୍ଭ କରି ଦେଇଛନ୍ତି ରୋଗୀ ସେବା। ବ୍ଲଡ଼ ପ୍ରେସର ମାପିବା ଠାରୁ ଆରମ୍ଭ କରି ପ୍ରେସକ୍ରିପସନ୍ ପର୍ଯ୍ୟନ୍ତ ଲେଖୁଛନ୍ତି। ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରତି ଦିନ ୫୦୦ ରୁ ଉର୍ଦ୍ଧ୍ବ ରୋଗୀ ଆସିଥାନ୍ତି। ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମାନେ ପୂଜା ଛୁଟିରେ ଯାଇଛନ୍ତି। ଅଛନ୍ତି କେଵଳ ଜଣେ ଡାକ୍ତର। ଫଳରେ କମ ଡ଼ାକ୍ତରରେ ରୋଗୀ ସେବା ହୋଇ ପାରୁ ନଥିବାରୁ ବିଧାୟକ ନିଜେ ରୋଗୀଙ୍କୁ ଦେଖୁଛନ୍ତି। ତେବେ ଏହି ଅସୁବିଧାକୁ ଶୀଘ୍ର ଦୂର କରିବାକୁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ସୁନ୍ଦରଗଡ଼ ସିଡ଼ିଏମ୍ଓ ।
ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୬ ଜଣ ଡାକ୍ତର ଅଛନ୍ତି। ସେଥିରୁ ୩ ଜଣ ନିୟମିତ ହୋଇଥିବା ବେଳେ ଅନ୍ୟମାନେ ନିୟମିତ ହୋଇନାହାନ୍ତି। ଏହି ୬ ଡାକ୍ତରଙ୍କ ମଧ୍ୟରୁ ଦଶହରା ପାଇଁ ୫ ଜଣ ଛୁଟିରେ ଯାଇଛନ୍ତି। ତେଣୁ ଡାକ୍ତରଖାନାରେ ଜଣେ ଡାକ୍ତର ରୋଗୀ ଦେଖୁଛନ୍ତି। ମାତ୍ର ଜଣେ ଡାକ୍ତର ଥିବାରୁ ରୋଗୀମାନେ ହଇରାଣ ହେଉଛନ୍ତି। ସେମାନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଏହି ଖବର ପାଇ ଡାକ୍ତରଖାନା ପରିଦର୍ଶନରେ ଆସିଥିଲେ ରାଜଗାଙ୍ଗପୁର ବିଧାୟକ ଡାକ୍ତର ସି.ଏସ୍ ରାଜନ ଏକ୍କା।
ସ୍ଥିତି ଦେଖିବା ପରେ ବିଧାୟକ ଫୋନ୍ କରିଥିଲେ ସିଡିଏମ୍ଓଙ୍କୁ। ସମସ୍ୟାର ସମାଧାନ ନେଇ ସିଡିଏମ୍ଓ ଅକ୍ଷମତା ପ୍ରକାଶ କରିବାରୁ ବିଧାୟକ ନିଜେ ରୋଗୀ ଦେଖିବାକୁ ବସିଥିଲେ। କାରଣ ସେ ନିଜେ ଜଣେ ଡାକ୍ତର।
ବିଧାୟକ ଡାକ୍ତର ସି.ଏସ୍ ରାଜନ ଏକ୍କା କହିଛନ୍ତି, ଡାକ୍ତରଖାନାରେ ଜଣେ ଡାକ୍ତର ଅଛନ୍ତି। ସେ ଓପିଡି ସମ୍ଭାଳିବା ସହ ଓଟି ଓ ଅନ୍ୟାନ୍ୟ କାମ କରୁଛନ୍ତି। ଜଣେ ଡାକ୍ତର ଏକାବେଳେ ସବୁ ସମ୍ଭାଳିବା ସମ୍ଭବପର ହେଉ ନାହିଁ। ଏଥିପାଇଁ ବହୁତ ସଂଖ୍ୟାର ରୋଗୀ ଆସି ଫେରି ଯାଉଛନ୍ତି। ଏନେଇ ମୁଁ ସିଡିଏମଓଙ୍କ ସହ କଥା ହୋଇଥିଲି। ଡାକ୍ତରମାନେ ଛୁଟିରେ ଯାଇଛନ୍ତି ବୋଲି ସେ ମୋତେ କହିଥିଲେ। ସିଡିଏମଓ ନୂଆ ଆସିଛନ୍ତି। ଅନ୍ୟ ଡାକ୍ତର ଯୋଗାଇ ଦେବା ନେଇ ସେ ତାଙ୍କ ଅକ୍ଷମତା ମଧ୍ୟ ପ୍ରକାଶ କରିଥିଲେ। ସିଡିଏମଓଙ୍କ କଥା ଶୁଣି ମୁଁ ନିଜେ ରୋଗୀ ଦେଖି ପାରିବି ବୋଲି ଭାବିଥିଲି। ଏଇଟା ମୋ ପ୍ରୋଫେସନ୍। ଡାକ୍ତରଖାନା ପାଇଁ ଆହୁରି ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଆବଶ୍ୟକତା ରହିଛି। ଏନେଇ ମୁଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବି।
ଅନ୍ୟପକ୍ଷରେ ଏକାବେଳେ ୫ ଜଣ ଡାକ୍ତରଙ୍କୁ କାହିଁକି ଛୁଟି ଦିଆଗଲା ବୋଲି ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ପ୍ରଶ୍ନ କରିଛନ୍ତି।