ରାଉରକେଲା : ୨୦/୧୦ (ସତ୍ୟାନ୍ୟୁଜ) ପୂଜା ସମୟରେ ରାଉରକେଲା ସମେତ ସମଗ୍ର ରାଜ୍ୟରେ ଘରୋଇ ବସ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ଲକ୍ଷ୍ମୀ ବସ ଚଳାଚଳ ନିଷ୍ପତ୍ତିକୁ ବିରୋଧ କରି ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ ଚଳାଚଳ ବନ୍ଦ ରଖିଛନ୍ତି। ରାଉରକେଲା ସହରରୁ ପ୍ରତିଦିନ ୪୫ଟି ଏକ୍ସପ୍ରେସ ବସ ରାଜ୍ୟର ପ୍ରମୁଖ ସହର ସହ ବିଭିନ୍ନ ସ୍ଥାନକୁ ଯାଇଥାଏ। ପୂଜା ଛୁଟି ପାଇଁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଟିକେଟ କଟା ସରିଛି। ଏବେ ବସ ଷ୍ଟ୍ରାଇକ୍ ଯୋଗୁଁ ସମସ୍ତ ବସ ରାଉରକେଲା ନୂଆ ବସ ଷ୍ଟାଣ୍ଡରେ ଛିଡା ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନକୁ ଗମନାଗମନ ବନ୍ଦ ଥିବା ବେଳେ ପଡୋଶୀ ରାଜ୍ୟ ଝାରଖଣ୍ଡ ଏବଂ ଛତିଶଗଡ଼କୁ ମଧ୍ୟ ଯିବାକୁ ଥିବା ଯାତ୍ରୀ ମାନେ ହଇରାଣ ହେଉଛନ୍ତି। ପୂଜାରେ ଯାତ୍ରୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଘରୋଇ ବସ୍ ମାଲିକଙ୍କ ସମସ୍ୟା ଶୀଘ୍ର ସମାଧାନ କରି ସ୍ୱାଭାବିକ ସ୍ଥିତି ଆଣିବାକୁ ଦାବି ହେଉଛି।