ମହାରାଷ୍ଟ୍ର : କଣ୍ଟେନର ପଛରେ ପିଟିହୋଇ ଗଲା ଯାତ୍ରୀ ବାହୀ ମିନି ବସ୍। ୧୨ ମୃତ , ୨୩ ଆହତ। ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ , କ୍ଷତିପୂରଣ ଘୋଷଣା।

0 389

ମହାରଷ୍ଟ୍ର : ୧୫/୧୦ (ସତ୍ୟାନ୍ୟୁଜ) ଗତକାଲି ରାତିରେ ଦ୍ରୁତଗତିରେ ଯାଉଥିବା ଏକ ମିନି ବସ୍ ଭାରସାମ୍ୟ ହରାଇ ଟ୍ରକ୍ ପଛରେ ପିଟି ହେବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର (ଔରାଙ୍ଗାବାଦ) ଜିଲ୍ଲାର ସମୃଦ୍ଧି ଏକ୍ସପ୍ରେସୱେର ବୈଜାପୁର ଅଞ୍ଚଳରେ। ଗତକାଲି ରାତି ସାଢ଼େ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ବସ୍‌ରେ ମୋଟ ୩୫ ଜଣ ତୀର୍ଥଯାତ୍ରୀ ଥିଲେ। ସେମାନେ ବୁଲଢାଣା ସୈଲାନୀ ବାବା ଦରଗାହରୁ ଫେରି ନାଶିକ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ମିନି ବସ୍‌ଟି ଦ୍ରୁତଗତିରେ ଯାଉଥିବା ବେଳେ ଡ୍ରାଇଭର ଏହା ଉପରୁ ନିୟନ୍ତ୍ରଣ ହରାଇଥିଲେ। ସେଥିପାଇଁ ଏହି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ, ୬ ଜଣ ମହିଳା ଓ ଜଣେ ନାବାଳିକା ଅଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ କ୍ଷତିପୂରଣ ଘୋଷଣା କରିଛନ୍ତି। ସମୃଦ୍ଧି ଏକ୍ସପ୍ରେସୱେରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.