ରାଉରକେଲା : ବେଦବ୍ୟାସ ସୌନ୍ଦର୍ଯ୍ୟକରଣରୁ ବାଦ ପଡିଲା ଝୁଲା ପୋଲ।। ଝୁଲା ପୋଲ ନିର୍ମାଣ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଦିଲ୍ଲୀପ ରାୟ।

0 773

ରାଉରକେଲା : ୨୫/୧୦ (ସତ୍ୟାନ୍ୟୁଜ) ନିକଟରେ ବେଦବ୍ୟାସ ପୀଠର ବିକାଶରେ ସ୍ମାର୍ଟସିଟି ପକ୍ଷରୁ ପ୍ରାୟ ୧୦ କ‌ୋଟି ଟଙ୍କା ଖର୍ଚ୍ଚ ହୋଇଛି। ଗତ ଜାନୁଆରିରେ ୫-ଟି ସଚିବଙ୍କ ବେଦବ୍ୟାସ ପରିଦର୍ଶନ ଓ ଘୋଷଣା ପରେ ଶୁକ୍ରବାର ଦିନ ରାଜ୍ୟ ସରକାର ପୁଣି ୧୪ କୋଟି ୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମଞ୍ଜୁର ପାଣ୍ଠିରେ ବେଦବ୍ୟାସ ପୀଠ ଓ ଏହାର ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟକରଣ ଯୋଜନାରେ କରାଯାଉଛି। ମାତ୍ର ଦୀର୍ଘଦିନରୁ ଦାବି ହୋଇ ଆସୁଥିବା ଝୁଲା ପୋଲକୁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରୁ ବାଦ୍‌ ଦିଆଯାଇଛି। ପୂର୍ବରୁ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ରାଉରକେଲା ବିଧାୟକ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଝୁଲାପୋଲ ନିର୍ମାଣ ପାଇଁ ଚିଠି ଲେଖି ଅନୁରୋଧ କରିଥିଲେ। ବେଦବ୍ୟାସ ବିକାଶ ମଞ୍ଚ ନେତୃତ୍ବରେ ପ୍ରସ୍ତାବିତ ଝୁଲାପୋଲ ନିର୍ମାଣ ପାଇଁ ସର୍ଭେ କାମ ଶେଷ ହୋଇଥିଲା। ବ୍ରିଜ ପରାମର୍ଶଦାତା ଇଂ. ଅଶୋକ କୁମାର ଦାସ ପ୍ରକଳ୍ପର ବିସ୍ତୃତ ତଥ୍ୟ (ଡିପିଆର୍‌) ସରକାରଙ୍କୁ ପ୍ରଦାନ କରିଥିଲେ। ରାଜ୍ୟ ସରକାର ଏ ଦିଗରେ ଧ୍ୟାନ ଦେଉ ନଥିବାରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଆଜି ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ସେ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଗତ ୨୦୧୫ ରାଉରକେଲା ବିଧାୟକ ଥିବାବେଳେ ସୁନ୍ଦରଗଡ଼ ସାଂସଦ ତଥା ପୂର୍ବତନ ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ ଝୁଲାପୋଲ ନିର୍ମାଣ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର କରିଥିଲେ। ଆଜି ପର୍ଯ୍ୟନ୍ତ ସରକାର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ପର୍ଯ୍ୟଟନସ୍ଥଳ ମାନ୍ୟତା ପାଇଥିବା ବେଦବ୍ୟାସ ପୀଠର ଆକର୍ଷଣ ବୃଦ୍ଧି ପାଇଁ ଝୁଲାପୋଲର ନିର୍ମାଣ ମଧ୍ୟ ଆବଶ୍ୟକତା ରହିଛି। ପଶ୍ଚିମ ଓଡ଼ିଶାରେ ବେଦବ୍ୟାସ ଅନ୍ୟତମ ଶୈବପୀଠ। ଶଙ୍ଖ, କୋଏଲ ଓ ସରସ୍ବତୀ ତ୍ରିବେଣୀ ସଙ୍ଗମର ଉତ୍ପତି ସ୍ଥଳ ହେଉଛି ବ୍ରାହ୍ମଣୀ। ପ୍ରତିବର୍ଷ ଶିବରାତିରେ ପ୍ରାୟ ୧୫ ଦିନ ଧରି ଜାଗର ମେଳା ଚାଲିଥାଏ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମେ। ବୈଦିକ ଗୁରୁକୁଳ ଆଶ୍ରମ, ଗୋଶାଳା ସହ ନିକଟରେ ଋଷି ବ୍ୟାସଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଛି। ବ୍ୟାସ ଗୁମ୍ଫା ମଧ୍ୟ ଏହି ଶୈବପୀଠ ଇତିହାସର ମୁକସାକ୍ଷୀ ମଧ୍ୟ। ପଶ୍ଚିମ ଓଡ଼ିଶାର ଏଭଳି ଏକ ପ୍ରସିଦ୍ଧ ଶୈବପୀଠରେ ଝୁଲା ପୋଲ ନିର୍ମାଣ ହେଲେ ଶ୍ରଦ୍ଧାଳୁଙ୍କ ଭିଡ ଜମିବ। ଧବଳେଶ୍ବରପୀଠ ପରି ବେଦବ୍ୟାସ ଶୈବପୀଠ ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ଅନ୍ୟ ଏକ ଆକର୍ଷଣର କେନ୍ଦ୍ର ସାଜିବ। ଛେଣ୍ଡ ପାନପୋଷ ହାଡପକାଘାଟରୁ ବ୍ରାହ୍ମଣୀ ନଦୀ ଉପରେ ବେଦବ୍ୟାସ ଶୈବପୀଠ ପର୍ଯ୍ୟନ୍ତ ଝୁଲା ପୋଲ ନିର୍ମାଣ ପ୍ରସ୍ତାବ ରହିଛି। ଝୁଲାପୋଲ ନିର୍ମାଣ ହେଲେ ରାଉରକେଲା-ବେଦବ୍ୟାସ ମଧ୍ୟରେ ଦୂରତା ହ୍ରାସ ପାଇବ। ରାଉରକେଲାରୁ ବୀରମିତ୍ରପୁର, କୁଆରମୁଣ୍ଡା, ନୂଆଗାଁ, ରଘୁନାଥପାଲୀରୁ ଛେଣ୍ଡ କ୍ବାରୀସାଇଡିଂ, ପ୍ରଧାନପାଲି, ଲୁଆକେରା, ତୁମକେଲା, ହମିରପୁର ମଧ୍ୟରେ ଦୂରତା ହ୍ରାସ ପାଇବ।‌ ‌ତେଣୁ ଝୁଲାପୋଲ ନିର୍ମାଣ ପାଇଁ ଅତିରିକ୍ତ ପାଣ୍ଠି ମଞ୍ଜୁର ସହ ଅନୁମତି ଦେବାକୁ ଶ୍ରୀ ରାୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

Leave A Reply

Your email address will not be published.