ସୁନ୍ଦରଗଡ଼ : ଜିଲ୍ଲା ସ୍ତରୀୟ କନ୍ୟା ସନ୍ତାନ ଦିବସ ପାଳିତ।। ବିଭିନ୍ନ ପ୍ରତିଯୋଗିତା ରେ କୃତି ବାଳିକା ମାନଙ୍କୁ ପୁରସ୍କୃତ କରାଗଲା।

0 316

ସୁନ୍ଦରଗଡ଼ : ୧୨/୧୦ : (ସତ୍ୟାନ୍ୟୁଜ) ସ୍ଥାନୀୟ ସଦଭାବନା ଭବନ ଠାରେ ବୁଧବାର ଦିନ ଜିଲ୍ଲା ସ୍ତରୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରିବନ୍ତ ଜେନା ଏହି ଦିବସ ପାଳନ ର ତାତ୍ପର୍ଯ୍ୟ ଓ ମହତ୍ତ୍ଵ ସମ୍ପର୍କରେ କହିବା ସହିତ କନ୍ୟା ସନ୍ତାନ ମାନଙ୍କୁ ସମାଜରେ ତାଳ ମିଶାଇ ଆଗକୁ ବଢ଼ିବାରେ ସମସ୍ତେ ଆଗଭର ହେବା ସହିତ କନ୍ୟା ସନ୍ତାନ ମାନଙ୍କର ସୁରକ୍ଷା ଦାୟିତ୍ଵ ଆମ ସମସ୍ତଙ୍କର ବୋଲି ଅଭିହିତ କରିଥିଲେ।
କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ଯେ, ସମାଜରେ ମହିଳା ମାନେ ନିଜର ଅଧିକାର ପାଇଁ ସଂଗ୍ରାମ କରିଛନ୍ତି, ସେ ତସ୍ଲିମା
ନସରିନ ହୁଅନ୍ତୁ ବା କଳ୍ପନା ଚାୱଲା ହୁଅନ୍ତୁ ସେମାନେ ସବୁ ଘାତ ପ୍ରତିଘାତ କୁ ସାହସିକତା ର ସହିତ ମୁକାବିଲା କରି ସମାଜରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ଏହିପରି ଉଦାହରଣ ଦେଇ ଶ୍ରୀ ମାଝୀ ଉପସ୍ଥିତ ବାଳିକା ମାନଙ୍କୁ ସେହି ମହା ମାନବି ମାନଙ୍କ ଜୀବନ ଦର୍ଶନ ଦ୍ଵାରା ପ୍ରେରିତ ହେବା ନିମନ୍ତେ ପରାମର୍ଶ ଦେଇଥିଲେ।
ଏହି ଅବସରରେ ବାଳିକା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା ଚିତ୍ରାଙ୍କନ, ରଙ୍ଗୋଲି, ସଙ୍ଗୀତ ଆଦି ଆୟୋଜିତ ହୋଇଥିଲା ଏବଂ ଏଥିରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଶ୍ରୀମତୀ ସୁଶୀଳା ରଥ ସଂଯୋଜନା କରିଥିଲେ । ଏଥିରେ ସୁରକ୍ଷା ଅଧିକାରୀ ଶ୍ରୀମତୀ ଚୁଲେସ୍ୱରି ପଟେଲ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଶିଶୁ ମଙ୍ଗଳ କମିଟି ର ସଦସ୍ୟ ନନ୍ଦଲାଲ ନାୟକ, ଜିଲ୍ଲା ସଂଯୋଜିକା ମିନାକ୍ଷୀ ପ୍ରଧାନ, ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଏବଂ ବାଳିକା ମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.