ରାଉରକେଲା : ୧୧/୧୦ (ସତ୍ୟାନ୍ୟୁଜ) ଆଜି ଦେଶର ବିଭିନ୍ନ ସ୍ଥାନରେ ମନାଯାଉଛି ବିଶ୍ୱ ଶିଶୁ କନ୍ୟା ଦିବସ। ଏହି ସମୟରେ ସୁନ୍ଦରଗଡ ଏବଂ ରାଇରଙ୍ଗପୁରରେ ଦୁଇଟି ପୃଥକ ପୃଥକ ଘଟଣା ବୁଦ୍ଧିଜୀବୀ ମହଲରେ ଆଲୋଡନ ସୃଷ୍ଟି କରିଛି। ପ୍ରଥମ ଘଟଣାରେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ଚମ୍ପାଝର ପଞ୍ଚାୟତର। ଏହି ପଞ୍ଚାୟତର ଏକ ଜଙ୍ଗଲରେ କେହି ଏକ ଶିଶୁକନ୍ୟାକୁ ଛାଡି ଚାଲି ଯାଇଥିଲା। ଶିଶୁର କାନ୍ଦ ଶୁଣି କିଛି ମହିଳା ପତ୍ର ତୋଳାଳୀ ସରପଞ୍ଚଙ୍କୁ ଖବର ଦେଇଥିଲେ। ସରପଞ୍ଚ ଲୋକଙ୍କ ସଙ୍ଗେ ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି। ଏବେ ଉକ୍ତ ଶିଶୁର ଚିକିତ୍ସା ଚାଲିଛି। ଉଦ୍ଧାର ହୋଇଥିବା ଶିଶୁ ୨୦ରୁ ୨୫ ଦିନ ହେବ ବୋଲି ଡାକ୍ତର କହୁଛନ୍ତି। ଅନ୍ୟ ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଭସ୍ମ। ଥାନା ଅନ୍ତର୍ଗତ ମୁକ୍ତିଢ଼ିପା ଗାଁରେ । ଏକ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଜଣେ ମହିଳା ଶୌଚ କରିବା ବାହାନାରେ ବୁଦା ମୂଳକୁ ଯାଇଥିଲେ। ସେଠାରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇ ଛାଡି ଆସିଥିଲେ। ଲୋକମାନେ ଶିଶୁର କାନ୍ଦ ଶୁଣି ଉଦ୍ଧାର କରିବା ପରେ ପୋଲିସ କୁ ଦେଇଥିଲେ। ପୋଲିସ ଶିଶୁର ମାକୁ ଖୋଜି ବାହାର କରି ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି। ଏହି ଦୁଇଟି ଘଟଣାରେ ବୁଦ୍ଧିଜୀବୀ ମହଲ ଘୋର ଚିନ୍ତା ପ୍ରକଟ କରିଛନ୍ତି।