ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲ୍ଲାର ୬ ବ୍ଲକରେ ପରିବା ଚାଷ କରି ଉପକୃତ ହେଉଛନ୍ତି ଚାଷୀ।। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଚାଷୀ ମାନଙ୍କୁ କରାଯାଉଛି ସ୍ୱାବଲମ୍ବୀ।

0 338

ସୁନ୍ଦରଗଡ଼ : ୧୧/୧୦ (ସତ୍ୟାନ୍ୟୁଜ) ପରିବା ଚାଷରୁ ଆର୍ଥିକ ସମୃଦ୍ଧି,
ପରିବା ଚାଷ ଲୋକଙ୍କ ଭାଗ୍ୟ ବଦଳାଇ ଦେଇପାରେ । ଏଭଳି ଉଦାହରଣ ଆମେ ରାଜ୍ୟ ବାହାରୁ ଅନେକ ଦେଖିଛନ୍ତି । ତେବେ ରାଜ୍ୟ ଭିତରେ ମଧ୍ୟ ଏହି ଉଦାହରଣ କିଛି କମ୍ ନୁହେଁ । ଟାଙ୍ଗର ଭୂମିରେ ପରିବା ଫଳାଇ ଅନେକ ଚାଷୀ ଯେ କେବଳ ଆତ୍ମନିର୍ଭରଶୀଳ ହୋଇଛନ୍ତି ତାହା ନୁହେଁ ବରଂ ପରିବାରୁ ରୋଜଗାର ଅନେକଙ୍କର ଦୈନନ୍ଦିନ ଆର୍ଥିକ ଆବଶ୍ୟକତାକୁ ଅନେକମାତ୍ରାରେ ପୁରଣ କରୁଛି ।

ଜିଲ୍ଲା ଖଣିଜ ପ୍ରତିଷ୍ଠାନ, ସୁନ୍ଦରଗଡ଼ ତରଫରୁ ଜିଲ୍ଲାର ୬ଟି ବ୍ଲକ୍ ରେ ପ୍ରାୟ ୩୦୦୦ ଏକର ଜାଗାରେ ୱାଡି କାର୍ଯ୍ୟକ୍ରମ ଅଧିନରେ ୨୦୨୦ ମସିହାରୁ ବିଭିନ୍ନ ପ୍ରକାର ପନିପରିବା ଚାଷ କରାଯାଇଛି । ଟାଙ୍ଗରା ଭୂମିକୁ ଶସ୍ୟଶ୍ୟାମଳା କରି ଏଥିରେ ଏକାଧିକ ଫସଲ ଫଳାଇ ଲୋକଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବାର ଏହି ଅଭିନବ ପ୍ରୟାସ ସଫଳ ହୋଇଛି । ମୋଟ୍ ୧୭୧୮ ଜଣ ଚାଷୀ ଏହି ପ୍ରୟାସରେ ସାମିଲ ହୋଇଛନ୍ତି ।
ଖଣି ପ୍ରଭାବିତ ବ୍ଲକ୍ ଯଥା, କୁତ୍ରା, କୋଇଡା, ଲହୁଣୀପଡା, ରାଜଗାଂଗପୁର, ହେମଗିରି, କୁଆଁରମୁଣ୍ଡା ଆଦି ବ୍ଲକ୍ ରେ ପ୍ରାୟ ୫୦୦ ଏକର ଲେଖାଏଁ ଜମିରେ ଆମ୍ବ, ଲେମ୍ବୁ, ଲିଚୁ, କାଜୁବାଦାମ ଆଦି ଗଛ ଲଗାଯାଇଛି । ଏଠାରେ ଚାଷୀମାନଙ୍କୁ ବିହନ, ସାର, ସୌରଚାଳିତ ଜଳ ସେଚନ ସହ ଶୀତଳ ଭଣ୍ଡାର ବ୍ୟବସ୍ଥା ଏବଂ ବଜାର ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି । ଏହି କ୍ଷେତରୁ ବାହାରୁ ଥିବା ପୋଟଳ, ବରଗୁଡି, ଲଙ୍କା ସହ ବିଭିନ୍ନ ଶାଗ ଆଦିକୁ ବଜାରରେ ବିକ୍ରିୀ କରି ଚାଷୀ ବେଶ୍ ଦୁଇ ପଇସା କମାଉଛନ୍ତି । ଏହି ପରିବା ସବୁ ମୋ ବାଡି ପରିବା ନାମରେ ବିକ୍ରି ହେଉଛି।
ହେମଗିରି ବ୍ଲକ୍ ର ଟାପୋରିଆ, ଲାଇକେରା, ବିଶ୍ୱନାଥପୁର, ସୁରୁଲତା, କୋଡାବାହାଲ ଆଦି ଗାଁ ମାନଙ୍କରେ ପ୍ରାୟ ୨୦୦ ଏକର ଜାଗାରେ ଚଳିତ ବର୍ଷ ପୋଟଳ ଆଦି ଚାଷ ବେଶ୍ ଭଲ ହୋଇଛି । ଏଥିରେ ପ୍ରାୟ ୨୬୯ ଜଣ ଚାଷୀ ଚାଷ କାମ କରି ଲାଭବାନ ହୋଇଛନ୍ତି ।
ଏହି ସବୁ ଚାଷୀମାନେ ପ୍ରତି ରବିବାର ଦିନ ପୋଟଳ ତୋଳି ନିକଟସ୍ଥ ହାଟରେ ବିକିବାସହ ଏହାକୁ ଅନ୍ୟ ବଡ ବେପାରୀଙ୍କୁ ମଧ୍ୟ ଦେଇଥାଆନ୍ତି । ପୋଟଳର ଦାମ ବର୍ଷର ବିଭିନ୍ନ ସମୟରେ କିଲୋପିଛା ୨୦ ଟଙ୍କାରୁ ୪୦ ଟଙ୍କାଯାଏ ବିକ୍ରି ହୋଇଥାଏ । ପ୍ରତି ଚାଷୀ ବର୍ଷ ସାରା ପରିଶ୍ରମ କରି ପୋଟଳ ଆଦି ପରିବା ଚାଷରୁ ବର୍ଷକୁ ୮୦ ହଜାରରୁ ଲକ୍ଷେ ଟଙ୍କାଯାଏ ରୋଜଗାର କରିଥାଆନ୍ତି । ଛତିଶଗଡର ବେପାରୀମାନେ ଗାଡି ନେଇ ପ୍ରତି ରବିବାରଦିନ ପରିବା ସଂଗ୍ରହ କରୁଥିବାବେଳେ ଅନେକ ସମୟରେ ମହିଳାମାନେ ଏହି ପରିବାକୁ ନିଜ ପାଖ ଗାଁ ହାଟରେ ବିକ୍ରି କରିଥାଆନ୍ତି । ଚାଷୀମାନଙ୍କର ଏହି ରୋଜଗାର ସେମାନଙ୍କର ପୁଅଝିଅ କିମ୍ବା ନାତିନାତୁଣୀଙ୍କୁ ଶିକ୍ଷା ଏବଂ ସେମାନଙ୍କ ସ୍ୱାସ୍ଥ୍ୟପାଇଁ ଖର୍ଚ୍ଚ ହୋଇଥାଏ । ଅନେକ ନିଜର ଘରର ମରାମତି କରିବା ସହ ବିଭିନ୍ନ ପବଁପର୍ବାଣୀରେ ମଧ୍ୟ ଏହି ଅର୍ଥକୁ ଖର୍ଚ୍ଚ କରିଥାଆନ୍ତି । ପୋଟଳ ବାଦ୍ ଚାଷୀମାନେ ପୋଟଳ ଚାରା ମଧ୍ୟ ବିକ୍ରି କରିଥାଆନ୍ତି । ଏହି ବାବଦରେ ସେମାନେ ବର୍ଷକୁ ୩୦,୦୦୦ ରୁ ୪୦,୦୦୦ ଟଙ୍କା ଅଲଗା ରୋଜଗାର କରିଥାନ୍ତି ।

ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତରଫରୁ ଏହି କୃଷିକାମର ନିୟମିତ ତଦାରଖ କରାଯାଉଅଛି। ଚାଷୀମାନଙ୍କୁ ନର୍ସରୀ ବେଡ ପ୍ରସ୍ତୁତି, ଚାରା ପ୍ରସ୍ତୁତି, କମ୍ କୀଟନାଶକ ପ୍ରୟୋଗ କରି ଫସଲ କରିବା, ଜଳସେଚନ କରିବା, ଫସଲ ଉତ୍ପାଦନ କରିବା ଏବଂ ଏହାର ବଜାରୀକରଣ ଉପରେ ନିୟମିତ ତାଲିମ୍ ଦିଆଯାଉଅଛି । ଏହା ଲୋକମାନଙ୍କୁ ବୈଷୟିକ ରୁପେ ସଶକ୍ତ କରିବା ସହ ଉପଯୁକ୍ତଭାବେ ବଜାରକୁ ବୁଝି ବେପାର କରିବାରେ ସହାୟକ ହୋଇଥାଏ ।
ପରିବା ଚାଷରୁ ଆର୍ଥିକ ସମୃଦ୍ଧି ମିଳିବାଦ୍ୱାରା ଅନେକ ନିମ୍ନ ଏବଂ ମଧ୍ୟବିତ୍ତ ପରିବାରର ଅପୂରଣୀୟ ଏବଂ ଅପହଂଚ ସ୍ୱପ୍ନ ସବୁ ସାକାର ହେବାରେ ଲାଗିଛି । ଏହା ସେମାନଙ୍କ ଜୀବନକୁ ବଂଚିବାକୁ ନୂଆ ଦିଶା ଏବଂ ଦଶା ପ୍ରଦାନ କରିଛି ।

Leave A Reply

Your email address will not be published.