ରାଉରକେଲା : ବିଶ୍ରା ବ୍ଲକ ଦେଓ ନଦୀ ଉପରେ ଅସମ୍ପୂର୍ଣ୍ଣ ବ୍ରିଜ୍ କାମ ଶୀଘ୍ର ସାରିବାକୁ ଦାବି।। ୫ ଦିନ ହେଲା ଧାରଣାରେ ବସିଛନ୍ତି ସମାଜସେବୀ ମୁକ୍ତିକାନ୍ତ।
ରାଉରକେଲା : ୬/୧୦ (ସତ୍ୟାନ୍ୟୁଜ) ଛଅ ବର୍ଷ ହେଲା ଚାଲିଛି ବ୍ରିଜ କାମ। ସତୁରୀ ଭାଗ ବ୍ରିଜ୍ କାମ ସରିଥିବା ବେଳେ ଆଉ ମାତ୍ର ଦେଢ଼ ଶହ ମିଟର କାମ ବାକି ରହିଛି। ମାତ୍ର ଜମି ଅଧିଗ୍ରହଣ ର ସମସ୍ୟା ଯୋଗୁଁ କାମ ବନ୍ଦ ରହିଛି। ଲୋକ ମାନେ ବିପଦପୂର୍ଣ୍ଣ ଭାବେ ବ୍ରିଜ୍ ଦେଇ ଯାତାୟାତ କରୁଛନ୍ତି। ରାଉରକେଲା ନିକଟ ବିଶ୍ରା ବ୍ଲକର ଦେଓ ନଦୀ ଉପରେ ଏହି ବ୍ରିଜ୍ କାମ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା। କାମ ଦ୍ରୁତ ଗତିରେ ଚାଲିଥିବା ବେଳେ ହଠାତ ବନ୍ଦ ହୋଇଗଲା। ଫଳରେ ୧୧ ଟି ପଞ୍ଚାୟତର ଲୋକମାନେ ବାଉଁଶ ସିଢ଼ି ଦେଇ ଅସମ୍ପୂର୍ଣ୍ଣ ବ୍ରିଜରୁ ତଳକୁ ଯାଉଛନ୍ତି। ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଠାରୁ ନେଇ ସ୍ଥାନୀୟ ଲୋକମାନେ ବିପଜ୍ଜନକ ଅବସ୍ଥାରେ ଯାତାୟାତ କରୁଛନ୍ତି। ବିଶ୍ରା ବ୍ଲକ ମିଟ୍ କୁନ୍ଦୁରୀ ଠାରେ ଦେଓ ନଦୀ ଉପରେ ଥିବା ଏହି ବ୍ରିଜ କାମ ଶୀଘ୍ର ସାରିବାକୁ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ ଅକ୍ଟୋବର ୨ ତାରିଖରୁ ଧାରଣାରେ ବସିଛନ୍ତି।
ବ୍ରିଜ୍ କାମ ଚାଲିଥିବା ବେଳେ ଏକ ଘରୋଇ ଜମି ଅଧିଗ୍ରହଣ ପାଇଁ ସମସ୍ୟା ଉପୁଜିବାରୁ କାମ ବନ୍ଦ ରହିଛି। ଏହି ସମସ୍ୟା ଦୂର ହୋଇଗଲେ ବ୍ରିଜ କାମ ଏକ ମାସରୁ ଦେଢ଼ ମାସ ମଧ୍ୟରେ ସରିବା ନେଇ ବିଭାଗୀୟ ଅଧିକାରୀ କହିଛିନ୍ତି।
ପୂର୍ବରୁ ଲୋକମାନେ ଏହି ସ୍ଥାନରେ ଡଙ୍ଗାରେ ନଦୀ ପାର ହେଉଥିଲେ। ମାତ୍ର ବ୍ରିଜ କାମ ଆରମ୍ଭ ହେବା ପରେ ଡଙ୍ଗା ବନ୍ଦ ହୋଇଗଲା। ଏବେ ବିପଜ୍ଜନକ ଅବସ୍ଥାରେ ଲୋକେ ଯିବା ଆସିବା କରୁଥିବାରୁ ଶୀଘ୍ର ବ୍ରିଜ କାମ ସାରିବାକୁ ଦାବି ହେଉଛି।