ରାଉରକେଲା : ୨/୧୦ (ସତ୍ୟାନ୍ୟୁଜ) ଉଦିତନଗର ଥାନାର ମହିଳା ପୋଲିସ ଅଧିକାରୀ ଅଲିଶ୍ ନର୍ମି ଲୁଗୁନ ଙ୍କ ଅକସ୍ମାତ ମୃତ୍ୟୁ ମାମଲା ଭିନ୍ନ ମୋଡ ନେଇଛି। ଏ ବାବଦରେ ଥାନାରେ ଏକ ହତ୍ୟା ମାମଲା ରଜ୍ଜୁ କରି ପୋଲିସ ତଦନ୍ତ ଜାରି ରଖିଛି। ମୃତ ମହିଳା
ଏ ଏସ୍ ଆଇ ଙ୍କ ସ୍ୱାମୀ ସଞ୍ଜୟ କୁମାର ଲାକ୍ରା ଙ୍କ ଏତେଲା କ୍ରମେ ପୋଲିସ ହତ୍ୟା ମାମଲା ଦାୟର କରିଛି। ମୃତକ ଏଏସଆଇ ମହିଳା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ନିଖୋଜ ହୋଇଥିବା ବେଳେ ଯାଞ୍ଚ ଅଧିକାରୀ ଥିଲେ। ତେଣୁ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ପୂର୍ବତନ ବିଧାୟକ ଜର୍ଜ ତିର୍କୀ। ଆଲିଶ୍ ଙ୍କ ମୁହଁ ଫୁଲି ଥିବା ଏବଂ ରକ୍ତ ବାହାରୁ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି ତାଙ୍କ ସ୍ୱାମୀ।
ସୂଚନାଯୋଗ୍ୟଯେ ରବିବାର ଅପରାହ୍ନରେ ଏକ ବସ ଏବଂ କାର ଦୁର୍ଘଟଣା କୁ ନେଇ ଉତ୍ତେଜନା ଦେଖାଦେଇଥିଲା। କାର ରେ ବସିଥିବା ଲୋକମାନେ ଉତ୍ତେଜିତ ହୋଇ ବସ ଡ୍ରାଇଭର ଏବଂ ହେଲ୍ପର ସହ ମାଡ଼ପିଟ କରିଥିବା ଅଭିଯୋଗ ହୋଇଛି। ଖବର ପାଇ ଉଦିତନଗର ଥାନା ମହିଳା ପୋଲିସ ଏଏସଆଇ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣରେ ନେବାକୁ ଉଦ୍ୟମ କଲାବେଳେ ତଳେ ପଡି ଯାଇଥିଲେ। ତାଙ୍କୁ ତୁରନ୍ତ ହସପିଟାଲ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାର ସବୁ ଦିଗରୁ ତଦନ୍ତ କରାଯାଉଥିବା ଡିଏସପି କହିଛନ୍ତି।
ମହିଳା ପୋଲିସ ଅଧିକାରୀ ଆଲିଶ୍ ନର୍ମି ଲୁଗୁନ ଙ୍କ ଅକସ୍ମାତ ମୃତ୍ୟୁ ଏକ ଦୁଃଖଦ ଘଟଣା ହୋଇଥିବା ବେଳେ ପରିବାର ସଦସ୍ଯ ନ୍ୟାୟ ମାଗିଛନ୍ତି। ଅନ୍ୟପକ୍ଷରେ ପୋଲିସ ୩ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛନ୍ତି।