ସୁନ୍ଦରଗଡ଼ ଜିଲ୍ଲାରୁ ବାହାର ରାଜ୍ୟକୁ ଯୁବତୀ ଚାଲାଣ ମାମଲା କମିବା ପରିବର୍ତ୍ତେ ବଢି ଚାଲିଛି । ବୁଧବାର ରାତିରେ ରାଉରକେଲା ନୂଆ ବସ ଷ୍ଟାଣ୍ଡ ରୁ ତିନିଜଣ ନାବାଳିକା ଙ୍କ ସମେତ ୯ ଯୁବତୀଙ୍କୁ ଉଦ୍ଧାର କରିବା ଘଟଣା ଏହାକୁ ପ୍ରମାଣିତ କରିଛି ।
ଜିଲ୍ଲାର ବଣେଇ ଉପାଖଣ୍ଡର କୋଇଡା ବ୍ଲକ ରୁ ଏହି ଯୁବତୀ ମାନଙ୍କୁ ଆଣି ରାଉରକେଲା ରୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ବେଳେ ଉଦ୍ଧାର କରାଯାଇଛି । ବୁଧବାର ରାତିରେ ବସ ରେ ଆସି ରାଉରକେଲାରେ ପହଁଚିବା ପରେ ସ୍ଥାନୀୟ କେତେକ ଯୁବକଙ୍କ ସନ୍ଦେହ ହୋଇଥିଲା । ଯୁବତୀ ମାନଙ୍କୁ ଦଲାଲଙ୍କ କବଳରୁ ଉଦ୍ଧାର କରି ବସ ଷ୍ଟାଣ୍ଡ ଫାଣ୍ଡି ପୋଲିସ କୁ ହସ୍ତାନ୍ତର କରାଯାଇଥିଲା । ପୋଲିସ ଦୁଇଜଣ ଦଲାଲ ଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ଉଦ୍ଧାର ନାବାଳିକା ଏବଂ ଯୁବତୀ ମାନଙ୍କୁ ଚାଇଲଡ଼ ଲାଇନ କୁ ହସ୍ତାନ୍ତର କରାଯାଇଛି ।