ରାଉରକେଲା : ୭୨ ସିଟ୍ ବିଶିଷ୍ଟଏଟିଆର୍ -୭୨ ବିମାନ ଚଳାଚଳ ଦାବି କଲେ ଦିଲ୍ଲୀପ।। ବିମାନ ବନ୍ଦର ଜମି ହସ୍ତାନ୍ତର ସହ ସମ୍ପ୍ରସାରଣ ଦାବି।
ରାଉରକେଲା:୧୪/୧(ସତ୍ୟାନ୍ୟୁଜ) ନଅ ସିଟ୍ , ସିଙ୍ଗଲ୍ ଇଞ୍ଜିନ ବିଶିଷ୍ଟ
” ଇଣ୍ଡିଆ ୱାନ ଏଆର୍ ” ଦୂର୍ଘଟଣା ପରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମମୋହନ ନାଇଡୁଙ୍କୁ ଚିଠି ଲେଖି ପୂର୍ବପରି ୭୨ ଆସନ ବିଶିଷ୍ଟ ବିମାନ ସେବା ଚାଲୁ କରିବାକୁ ଅନୁରୋଧ କରିଛନ୍ତି। ଶ୍ରୀ ରାୟ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ଛୋଟ ବିମାନ ଚାଲୁଥିବାରୁ ଅଧିକାଂଶ ଯାତ୍ରୀ ରାଉରକେଲାରୁ ଭୁବନେଶ୍ବର ଯିବାକୁ ଥିଲେ ହେଁ ଯାଇପାରୁ ନାହାନ୍ତି। ଯାହା ରାଉରକେଲା ନୁହେଁ ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ାଇଛି। ରାଉରକେଲାରେ ଶିଳ୍ପ, ଶିକ୍ଷାର ବିକାଶ ପାଇଁ ପୂର୍ବପରି ବଡ ବିମାନ ଚଳାଇବାର ଆବଶ୍ୟକତା ରହିଛି। ସମୟସୀମା ମଧ୍ୟରେ ଭିତ୍ତିଭୂମି ବିକାଶ କରିବା ସହ ସେଲ୍ ରୁ ରାଉରକେଲା ବିମାନ ବନ୍ଦରର ମାଲିକାନା ଓ ପରିଚାଳନାଗତ ନିୟନ୍ତ୍ରଣ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ)କୁ ହସ୍ତାନ୍ତର କରାଯାଉ। ଏୟାର ବସ୍ ଏ -୩୨୦ ଭଳି ଉଚ୍ଚ କ୍ଷମତା ବିଶିଷ୍ଟ ବିମାନ ଚଳାଚଳକୁ ଅନୁମତି ଦେବା ସହ ରନ୍ୱେ ସମ୍ପ୍ରସାରଣ,ବିମାନବନ୍ଦରକୁ ୨ ସିରୁ ୪ ସି ଲାଇସେନ୍ସ କୁ କରିବାକୁ ଶ୍ରୀ ରାୟ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।
ଗତ ୨୦୨୫ ଡିସେମ୍ବର ୫ ତାରିଖରୁ ୯ ଆସନ ବିଶିଷ୍ଟ ଘରୋଇ ବିମାନ ଚଳାଚଳ ପୂର୍ବରୁ ୭୨ ଆସନ ବିଶିଷ୍ଟ ବିମାନ ଚଳାଚଳ କରୁଥିଲା। ଦୈନିକ ଭୁବନେଶ୍ବରରୁ ରାଉରକେଲା ଓ ରାଉରକେଲାରୁ ଭୁବନେଶ୍ବର ୪୦ରୁ ୫୦ ଯାତ୍ରୀ ଯିବା ଆସିବା କରୁଥିଲେ। ୭୨ ଆସନ ବିଶିଷ୍ଟ ବିମାନ ଚଳାଚଳ ବନ୍ଦ ହେବାପରେ ସହରର ବିକିନ୍ନ ରାଜନୈତିକ ଦଳ ଓ ସଙ୍ଗଠନ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯିବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପୁନଃ ବିମାନ ଚଳାଚଳ କରିବାକୁ ବାଧ୍ୟ ହୋଇଥିଲେ। ହେଲେ ୭୨ ଆସନ ବିଶିଷ୍ଟ ବିମାନ ପରିବର୍ତ୍ତେ ୯ ଆସନ ବିଶିଷ୍ଟ ବିମାନ ଚଳାଚଳ କରିବାକୁ ଅନୁମତି ଦେଇ ଥିଲେ।
ଅନ୍ୟପକ୍ଷରେ ରାଉରକେଲା – ଭୁବନେଶ୍ବର ଯାତାୟାତ କରୁଥିବା ଘରୋଇ ବିମାନ ‘ ଇଣ୍ଡିଆ ୱାନ୍ ଏୟାର’ ଦୁର୍ଘଟଣାର କାରଣ ଖୋଜୁଛି ବିଭିନ୍ନ ବିଭାଗ। ଯାନ୍ତ୍ରିକତ୍ରୁୂଟିରୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପରିବହନ ମନ୍ତ୍ରୀ ବିଭୂତି ଜେନା, ସଚିବ ଉଷା ପାଢ଼ୀ, ଘରୋଇ ବିମାନ ମାଲିକ, ଡିଜିସିଏ ଓ ଏଏଆଇ ଟିମ୍ ଘଟଣାସ୍ଥଳରେ ଯାଞ୍ଚ କରି ଫେରିଯାଇଛନ୍ତି। ଗତକାଲି ବୀମା କମ୍ପାନିର ଏକ ଟିମ୍ ହାତୀବନ୍ଧା କଂସର ଦୁର୍ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ। କ୍ଷୟକ୍ଷତିର ଆକଳନ କରିବା ସହ ଆଖପାଖର ଲୋକଙ୍କୁ ଦୁର୍ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ସେପଟେ ଦୁର୍ଘଟଣା ପରେ ବିମାନ ସେବା ବନ୍ଦ ହୋଇ ନାହିଁ। ସମ୍ପୃକ୍ତ କମ୍ପାନୀ ପକ୍ଷରୁ ଏକ ବିମାନ ଦୈନିକ ଚଳାଚଳ କରୁଛି। ମଙ୍ଗଳବାର ଦିନ ଭୁବନେଶ୍ବରୁ ଜଣେ ମାତ୍ର ଯାତ୍ରୀ ରାଉରକେଲା ଆସିଥିଲେ। କିନ୍ତୁ ରାଉରକେଲାରୁ ୬ ଜଣ ଯାତ୍ରୀ ଭୁବନେଶ୍ବର ଯାଇଥିଲେ। ସୋମବାର ମାତ୍ର ୨ ଜଣ ଯାତ୍ରୀ ଆସିଥିବା ବେଳେ ରାଉରକେଲାରୁ ଯାଇଥିଲେ ୫ ଯାତ୍ରୀ। ଦୁର୍ଘଟଣାଗ୍ରସ୍ତ ପରେ ଭୟ ଥିଲେ ମଧ୍ୟ ଜରୁରୀକାମ ଥିବାରୁ ରାଉକେଲାରୁ ଦୈନିକ ୪ରୁ ୬ ଜଣ ଯାତ୍ରୀ ଭୁବନେଶ୍ବର ଯାଉଛନ୍ତି। ରାଉରକେଲା ରୁ ବିମାନ ଯାତ୍ରା ପାଇଁ ଯାତ୍ରୀ ଆଗ୍ରହୀ ଥିବାରୁ ୭୨ ସିଟ୍ ବିଶିଷ୍ଟ ବିମାନ ଚଳାଚଳ କରାଇବାକୁ ଦାବି ହେଉଛି।