ରାଉରକେଲା : ରାଉରକେଲା ସ୍ୱତନ୍ତ୍ର କାରାଗାର ପରିସରରେ ଜେଲ୍ କର୍ମଚାରୀଙ୍କ ଆମରଣ ଅନଶନ।।୫ ଦଫା ଦାବି ପୂରଣ ଲାଗି ଅନଶନ।
ରାଉରକେଲା : ୨୫/୯ (ସତ୍ୟାନ୍ୟୁଜ) ୫ ଦଫା ଦାବି ପୂରଣ ଲାଗି ଆଜି ଠାରୁ ଜେଲ୍ କର୍ମଚାରୀ ମାନେ ଆମରଣ ଅନଶନରେ ବସିଛନ୍ତି। ରାଜ୍ୟ ଜେଲ୍ କର୍ମଚାରୀ ମହାସଂଘର ଆହ୍ୱାନ କ୍ରମେ ରାଉରକେଲା ସ୍ୱତନ୍ତ୍ର କାରାଗାରର କର୍ମଚାରୀ ମାନେ ଜେଲ୍ ପରିସରରେ ଅନଶନ ଆରମ୍ଭ କରିଛନ୍ତି। ଏହି ସମୟରେ କୌଣସି କର୍ମଚାରୀ ଖାଦ୍ୟ ଗ୍ରହଣ କରିବେ ନାହିଁ। କିନ୍ତୁ ନିଜର ଡ୍ୟୁଟି କରିବେ। ରାଉରକେଲା ସ୍ୱତନ୍ତ୍ର ଜେଲ୍ ରେ ୩୧ ଜଣ କର୍ମଚାରୀ ଥିବା ବେଳେ ୨୦ ଜଣ ଅନଶନରେ ବସିଛନ୍ତି। ଅନ୍ୟ ୧୧ ଜଣ ଡ୍ୟୁଟି କରୁଛନ୍ତି। ଗ୍ରେଡ୍ ପେ ରେ ବୃଦ୍ଧି , ପୁରୁଣା ପଦୋନ୍ନତି ନିୟମ ଲାଗୁ , ଉପଖଣ୍ଡ ସ୍ତରକୁ ବଦଳି ନିୟମ କୋହଳ , ଖାଦ୍ୟ ଭତ୍ତା ୪୦୦ ରୁ ୧୪୦୦ ଟଙ୍କାକୁ ବୃଦ୍ଧି ଆଦି ଦାବିରେ ଜେଲ୍ କର୍ମଚାରୀ ଆମରଣ ଅନଶନରେ ବସିଛନ୍ତି। ଅନଶନରତ କର୍ମଚାରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଲେ ସେଥିପାଇଁ ସରକାର ଏବଂ ଜେଲ୍ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି କୁହାଯାଇଛି। ବିଭିନ୍ନ ଦାବି ନେଇ ଜେଲ୍ କର୍ମଚାରୀ ମାନେ ସେପ୍ଟେମ୍ବର ୧୩ ତାରିଖରୁ କଳା ବ୍ୟାଚ ପିନ୍ଧି କାମ କରୁଥିଲେ। ମାତ୍ର ସରକାର ଦାବି ପୂରଣ ନକରିବାରୁ କର୍ମଚାରୀ ମାନେ ଆଜି ଠାରୁ ଆମରଣ ଅନଶନରେ ବସିଛନ୍ତି।