ମୟୁରଭଞ୍ଜ : ବିଭିନ୍ନ ଦାବିରେ କୁଡୁମୀ ଏକତା ମଞ୍ଚର ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା।। ସାଧାରଣ ଜୀବନ ଯାତ୍ରା ବ୍ୟାହତ।
ମୟୁରଭଞ୍ଜ : ୨୦/୯ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ବିଭିନ୍ନ ଦାବି ନେଇ କୁଡୁମୀ ଏକତା ମଞ୍ଚ ପକ୍ଷରୁ ଦିଆ ଯାଇଥିବା ମୟୁରଭଞ୍ଜ ବନ୍ଦ ଡକାରାରେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। କୁଡୁମୀ ଜାତିକୁ ସରକାର ୧୯୫୦ ମସିହାରେ ବିନା କାରଣରେ ଏସ୍ ଟି ତାଲିକାରୁ ବାଦ କରିଦେଲେ । ସେହି ଦିନଠାରୁ କୁଡୁମୀଜାତି ଅନବରତ ସଂଘର୍ଷ ଜାରିରଖିଛନ୍ତି। କିନ୍ତୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ହୀନ ଚକ୍ରାନ୍ତ ଯୋଗୁଁ ସେମାନେ ପୁନର୍ବାର ଏସ୍ ଟି ତାଲିକାରେ ସାମିଲ ହୋଇପାରିନାହାନ୍ତି ବୋଲି ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ ଓଡିଶା କୁଡୁମୀ ଏକତା ମଞ୍ଚ ତରଫରୁ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଥିଲା।
ବନ୍ଦ ଡାକରାର ପ୍ରଭାବରେ ଆଜି ରାଇରଙ୍ଗପୁର ସହରରେ ଗାଡିମଟର,ଦୋକାନ ବଜାର, ରେଳ,ବସ, ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିବା ବେଳେ ଜରୁରୀକାଳୀନ ସେବା ମେଡିକାଲ, ଔଷଧ ଦୋକାନ, କ୍ଷୀର ଦୋକାନ ଖୋଲା ରହିଥିଲା।
କୁଡୁମୀ ସଂପ୍ରଦାୟର ଦାବୀ ଗୁଡିକ ମଧ୍ୟରେ – ୧ ସରକାର ଆମକୁ ପୁନର୍ବାର ST ତାଲିକାଭୁକ୍ତ କରାନ୍ତୁ | ୨ କୁଡୁମୀ ଭାଷା ସମ୍ବିଧାନର ଅଷ୍ଠମ ଅନୁଛେଦରେ ସାମିଲ କରାଯାଉ | ଓ ୩ ସରକାର ଯଦି ଆମ କଥା ନ ଶୁଣନ୍ତି ତେବେ NO ST , NO VOTE | ଅର୍ଥାତ୍ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ କୁଡୁମୀଜାତି ଭୋଟ ସଂପୂର୍ଣ୍ଣ ବର୍ଜନ କରିବ ବୋଲି ଜୋର ଦେଇ କହିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ସହରସ୍ତ ରେଳ ଷ୍ଟେସନ ଓ ଅଁଳାଯୋଡି ରେଳ ଷ୍ଟେସନରେ ରେଳ ରୋକ ଦେଖାଯାଇଥିଲା | ଏହି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରାରେ ରାଇରଙ୍ଗପୁରରେ ଶତାଧିକ କୁଡୁମୀ ସଂଗଠନ କର୍ମୀ ଅଂଶଗ୍ରହଣ କରିଥିଲେ | ସେମାନଙ୍କ ମଧ୍ୟରେ ନିର୍ମଳ ମହାନ୍ତ, ବୀରେନ୍ଦ୍ରନାଥ ମହାନ୍ତ, ଫନତୁସ ମହାନ୍ତ, ସଞ୍ଜୀବ ମହାନ୍ତ, ତ୍ରିଲୋଚନ ମହାନ୍ତ, ସନ୍ତୋଷ ମହାନ୍ତ, ବାବୁରାମ ମହାନ୍ତ, ଭବାନୀଶଙ୍କର ମହାନ୍ତ, ତୁଳସୀରାମ ମହାନ୍ତ, ସଂଜୟ କୁମାର ମହାନ୍ତ, ସମୂଲ୍ୟ ମହାନ୍ତ, କିରଣରାଣୀ ମହାନ୍ତ କାଜରୀ ମହାନ୍ତ ଓ ଅନ୍ୟମାନେ ଯୋଗ ଦେଇଥିଲେ | ମୋଟ ଉପରେ ରାଇରଙ୍ଗପୁର ମ୍ୟୁନିସିପାଲିଟି ତଥା ବ୍ଲକମାନଙ୍କରେ ମୟୂରଭଞ୍ଜ ୧୨ ଘଣ୍ଟିଆ ବନ୍ଦ ଡାକରା ସଫଳ ହୋଇଥିବା ଜଣାପଡିଛି | ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ