ବଣାଇ : ୧୬/୯ (ସତ୍ୟାନ୍ୟୁଜ) ବଣାଇ ସହରକୁ ପଶିଲେ ଦୁଇଟି ଦନ୍ତା ହାତୀ। ଦନ୍ତା ଦୁଇଟିଙ୍କ ପ୍ରବେଶରେ ଆତଙ୍କିତ ହୋଇପଡିଲେ ବଣାଇ ବାସୀ। ଏହି ଦୁଇଟି ଗୋଠଛୋଡା ଦନ୍ତା ହାତୀଙ୍କ ଉତ୍ପାତରେ ବଣାଇ ଅଞ୍ଚଳରେ ଧନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ହାତୀ କେତେବେଳେ ଘର ଭାଙ୍ଗୁଛି ତ କେତେବେଳେ ଫସଲ ନଷ୍ଟ କରୁଛି।
ଗତ କାଲି ରାତିରେ ଏହି ହାତୀ ଦୁଇଟି ଜଙ୍ଗଲରୁ ବଣାଇ ସହରକୁ ପସି ଆସି ଥିଲେ। ବଣାଇ ର ମୁଖ୍ୟ ରାସ୍ତାରେ ହାତୀ ଦୁଇଟି ବୁଲୁ ଥିବା ବେଳେ ଆତଙ୍କିତ ହୋଇ ପଡ଼ିଥିଲେ ବଣାଇ ବାସୀ ଏବଂ ଦୋକାନୀ ମାନେ। ବଣାଇ ସହରରେ ହାତୀକୁ ଦେଖିବା ପରେ ରାସ୍ତା କୁ ଶହଶହ ଲୋକ ବାହାରି ଆସିଥିଲେ। ନିଆଁ ହୁଳା ଧରି ହାତୀ ଦୁଇଟିକୁ ଲୋକମାନେ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ବଣାଇ ସହରରେ ପ୍ରାୟ ୫ ଘଣ୍ଟା ବିଦ୍ୟୁତ ସେବା ବନ୍ଦ ରହିଥିଲା । ଖବରପାଇ ବନବିଭାଗ ଏବଂ ପୋଲିସ ପହଞ୍ଚି ଦନ୍ତା ଦୁଇଟିକୁ ବ୍ରାହ୍ମଣୀ ନଦୀ ଆଡକୁ ଘଉଡାଇ ଦେଇଥିଲେ । ଯେତେ ଘଉଡାଇଲେ ମଧ୍ୟ ହାତୀ ଦୁଇଟି ଜଙ୍ଗଲରୁ ଫେରି ଆସୁଥିବାରୁ ଲୋକଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି।