ରାଉରକେଲା : ପ୍ରାଥମିକ ଶିକ୍ଷକ ସଙ୍ଘର ଆନ୍ଦୋଳନ ସପ୍ତମ ଦିନରେ।। ୨୬ ସେପ୍ଟେମ୍ବରରୁ ହାଇସ୍କୁଲ ଶିକ୍ଷକ ସଂଘର ଆନ୍ଦୋଳନ ଚେତାବନୀ।
ରାଉରକେଲା : ୧୫/୯ (ସତ୍ୟାନ୍ୟୁଜ) ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ଆଜି ସପ୍ତମ ଦିନରେ ପହଞ୍ଚିଛି। ଏହି ସମୟରେ ବିଭିନ୍ନ ଦାବି ପୂରଣ ନେଇ ହାଇସ୍କୁଲ ଶିକ୍ଷକ ସଙ୍ଘ ୨୬ ତାରିଖରୁ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ରାଜ୍ୟରେ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ଯୋଗୁ ପ୍ରାୟ ୫୦ ହଜାର ସ୍କୁଲରେ ତାଲା ପଡ଼ିଛି। ୪୦ ଲକ୍ଷ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଛି । ଠିକା ବ୍ୟବସ୍ଥା ଉଛେଦ, କେନ୍ଦ୍ରୀୟ ହାରରେ ବେତନ ଓ ପୁୁରୁଣା ପେନସନ୍ ଦାବିରେ ଅଟଳ ରହିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ ।
ଅନ୍ୟ ପକ୍ଷରେ ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକଙ୍କ ପ୍ରତି ସରକାରଙ୍କ କଡ଼ା ଆଭିମୁଖ୍ୟ ଦେଖିବାକୁ ମିଳିଛି। ଆନ୍ଦୋଳନ ବନ୍ଦ କରି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ବିଇଓ ଏବଂ ଡିଇଓଙ୍କୁ ଚିଠି ଲେଖିଛନ୍ତି ସରକାର । ଏଥିରେ କୁହାଯାଇଛି ଧାରଣା ପାଇଁ ଅଧିକାଂଶ ଶିକ୍ଷକ ଅନୁମତି ନେଇ ନାହାନ୍ତି। ଶିକ୍ଷକମାନେ ବର୍ଷକୁ ୨୨୦ ଦିନ ସ୍କୁଲକୁ ଆସିବା ବାଧ୍ୟତାମୂଳକ। ଏଥିରେ ବ୍ୟତିକ୍ରମ ଦେଖାଦେଲେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି କ୍ରମରେ ବିଶ୍ରା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଅଧିକାଂଶ ପ୍ରାଥମିକ ଶିକ୍ଷା ବିଭାଗର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପାଳିକରି ତିନିଦିନ ବିଶ୍ରା ବ୍ଲକ୍ ଶିକ୍ଷା ବିଭାଗ କାର୍ଯ୍ୟାଲୟ ଓ ତିନିଦିନ ରାଉରକେଲା ସ୍ଥିତ ପୁରୁଣା ଡିଆଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରଖିଛନ୍ତି। ଗୁରୁବାର ହୋଇଥିବା ଏହି ଧାରଣାରେ ବିରମିତ୍ରପୁର ବିଧାୟକ ତଥା ବିଜେପି ନେତା ଶଙ୍କର ଓରାମ ଯୋଗଦେଇ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଦାବିକୁ ସମର୍ଥନ କରିଥିଲେ। ଆଜି ମଧ୍ୟ ଏହି ଧାରଣା ଜାରି ରହିବା ସହିତ ସରକାରୀ ସ୍ତରରେ ଶିକ୍ଷକମାନଙ୍କ ପାଇଁ ଦିଆଯାଇଥିବା ଧମକପୂର୍ଣ୍ଣ ପତ୍ର ସମ୍ପର୍କରେ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।