ସୁନ୍ଦରଗଡ଼ : ୫ ଲକ୍ଷ ଟଙ୍କାରେ ବାପା , ମାଛେଉଣ୍ଡ ନାବାଳିକା ବିକ୍ରି ଅଭିଯୋଗ।। ମହିଳା ସରପଞ୍ଚଙ୍କ ସମ୍ପୃକ୍ତି ନେଇ ଥାନାରେ ମାମଲା।

0 852

ସୁନ୍ଦରଗଡ଼ : ୨୦/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରୁ ବାହାର ରାଜ୍ୟକୁ ଝିଅ ଚାଲାଣ ମାମଲା ଥମୁ ନାହିଁ। ଦଲାଲମାନେ ଗ୍ରାମାଞ୍ଚଳର ନାବାଳିକା, ଯୁବତୀମାନଙ୍କୁ ଭଲ ରୋଜଗାର ଓ ନିଯୁକ୍ତି ଲୋଭ ଦେଖାଇ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ବେଳେବେଳେ ବିକ୍ରି ମଧ୍ୟ କରି ଦେଉଛନ୍ତି। ଏଭଳି ସ୍ଥିତିରେ ଏବେ ସୁନ୍ଦରଗଡ଼ରୁ ନାବାଳିକା ଚାଲାଣର ଆଉ ଏକ ସାଂଘାତିକ ମାମଲା ସାମ୍ନାକୁ ଆସିଛି। ଜଣେ ବାପାମା ଛେଉଣ୍ଡ ନାବାଳିକାଙ୍କୁ ବର୍ଷେ ତଳେ ୫ ଲକ୍ଷ ଟଙ୍କାରେ ଗୁଜରାଟ ଚାଲାଣ କରାଯାଇଥିଲା। ସିଏ ସେଠାରୁ କୌଶଳ କରି ସୁନ୍ଦରଗଡ଼ ଚାଲିଆସି ଏସପିଙ୍କୁ ଭେଟି ଅଭିଯୋଗ କରିବା ପରେ ଚାଲାଣ ରାକେଟ କଥା ଜଣାପଡ଼ିଛି। ନାବାଳିକାଙ୍କୁ କୌଣସି ବାହାର ଦଲାଲ ନୁହେଁ ଜଣେ ମହିଳା ସରପଞ୍ଚ ଗୁଜରାଟ ଅହମଦାବାଦରେ ସିଲେଇ ତାଲିମ ଦିଆଯିବ କହି ଭୁଲାଇ ‌ପଠାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଏ ନେଇ ଧରୁଆଡିହି ଥାନା ପୁଲିସ ସରପଞ୍ଚ ଓ ନାବାଳିକାଙ୍କୁ ବଳପୂର୍ବକ ରଖିଥିବା ଗୁଜରାଟର ଏକ ଦମ୍ପତିଙ୍କ ନାମରେ ଭାରତୀୟ ଦଣ୍ଡବିଧି ଅଧିନିୟମର ଧାରା ୩୭୦(୪), ୩୪ରେ ମାମଲା ରୁଜୁ କରିଛି। ଗିରଫ ଭୟରେ ସରପଞ୍ଚ ଫେରାର ହୋଇ ଯାଇଛନ୍ତି।

ନାବାଳିକା ଗାଁକୁ ଆସିବା ପରେ ପ୍ରଥମେ ଧରୁଆଡିହି ଥାନାକୁ ଯାଇଥିଲେ, କିନ୍ତୁ ପୁଲିସ ଏପରି ଏକ ସମ୍ବେଦନଶୀଳ ଅଭିଯୋଗକୁ ଗ୍ରହଣ କରି ନଥିଲା। ପରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଥାନାରେ ମାମଲା ରୁଜୁ ହୋଇଛି।
ସୂଚନା ଅନୁଯାୟୀ ପିଲାଦିନୁ ବାପାମାଙ୍କୁ ହରାଇ ଏକାକି ରହୁଥିବା ନାବାଳିକା ରାସନ ଆଦି ସହାୟତା ପାଇଁ ଜଣେ ମହିଳା ସରପଞ୍ଚଙ୍କ ପାଖକୁ ବାରମ୍ବାର ଯାଉଥିଲେ। ଏହି ସମୟରେ ତାଙ୍କୁ ରୋଜଗାରକ୍ଷମ ହେବାକୁ ଝାରସୁଗୁଡ଼ାର ଏକ ସିଲେଇ ତାଲିମ କେନ୍ଦ୍ରରେ ଭର୍ତ୍ତି କରିଦେବେ ବୋଲି ସରପଞ୍ଚ କହିଥିଲେ। ଏହା ପରେ ବିଶ୍ବାସ ଜନ୍ମାଇ ନାବାଳିକାଙ୍କୁ ଗତ ୨୦୨୨ ଜୁଲାଇରେ ଝାରସୁଗୁଡ଼ା ପୁରୁଣାବସ୍ତିର ବିନୟ ପଟେଲ ନାମକ ଜଣେ ବ୍ୟକ୍ତିଙ୍କ ପାଖରେ ଛାଡ଼ିଥିଲେ। କିନ୍ତୁ ସେଠାରେ ସିଲେଇ ତାଲିମ ଦେବା ପରିବର୍ତ୍ତେ ବିନୟ ବଡ଼ ସିଲେଇ କେନ୍ଦ୍ରରେ ତାଲିମ ଦେବାକୁ କହି ଟ୍ରେନ ଯୋଗେ ଗୁଜରାଟ ନେଇ ଯାଇଥିଲେ। ହେଲେ ଗୁଜରାଟର ଅହମଦାବାଦ୍‌ ପହଞ୍ଚିବା ପରେ ନାବାଳିକା ଠକି ଯାଇଥିବା ଜାଣିପାରିଥିଲେ। ଅହମଦାବାଦ୍‌ରେ ରହୁଥିବା ବିନୟ ତାଙ୍କୁ ନିଜ ଘର କାମ କରିବାକୁ ବାଧ୍ୟ କରିଥିଲେ। ବିନୟଙ୍କ ପତ୍ନୀ ତାଙ୍କୁ ଭୋର ୫ଟାରୁ ରାତି ୯ଟା ଯାଏ ଖଟାଉଥିବା ଅଭିଯୋଗ ହୋଇଛି। ତାଙ୍କୁ ମାତ୍ର ୭ ଶହ ଟଙ୍କା ପାରିଶ୍ରମିକ ମିଳୁଥିଲା। ତା’ ବାବଦକୁ ସରପଞ୍ଚ ୫ ଲକ୍ଷ ଟଙ୍କା ନେଇ ସାରିଛି, ତେଣୁ ତାକୁ ଯେମିତି ହେଉ କାମ କରିବାକୁ ହେବ ବୋଲି ବିନୟ ଏବଂ ତାଙ୍କ ସ୍ତ୍ରୀ କହୁଥିଲେ। ଅନେକ ସମୟରେ କାମରେ କିଛି ଭୁଲ ହେଲେ ତାଙ୍କୁ ମାଡ଼ ମରା ଯାଉଥିଲା। ଏଥିରେ ଅତିଷ୍ଠ ନାବାଳିକା ଘରକୁ ଫେରିଯିବେ ବୋଲି ଦିନେ କହିବା ପରେ ତାଙ୍କୁ ୬ ମାସ ଘରେ ନଜରବନ୍ଦୀ କରି ରଖାଯାଇଥିଲା। କିନ୍ତୁ ସେ ବହୁତ କନ୍ଦାକଟା କରିବା ସହ ଥରେ ଗାଁକୁ ଯାଇ ପୁଣି ଫେରିବ ବୋଲି କହିବା ପରେ ୨୦୨୩ ଜୁଲାଇରେ ତାଙ୍କୁ ଛଡ଼ା ଯାଇଥିଲା। ସେ ଗାଁକୁ ଆସି କିଛି ଦିନ ରହିବା ପରେ ଉକ୍ତ ସରପଞ୍ଚ ପୁଣି ଗୁଜରାଟ ଯିବାକୁ ବାଧ୍ୟ କରିଥିଲେ। ଏପରିକି ବିନୟ ସରପଞ୍ଚଙ୍କ ଫୋନରେ କଲ୍‌ କରି ନାବାଳିକାକୁ ନେବାକୁ ଝାରସୁଗୁଡ଼ା ଆସିବେ ବୋଲି କହୁଥିଲେ। ସେ ସମୟରେ ବି ସେ ୫ ଲକ୍ଷ ଟଙ୍କା କଥା ଉଠାଇଥିଲେ। ଏଥିରେ ଭୟଭୀତ ନାବାଳିକା ଗାଁର ଜଣେ ମହିଳା ନେତ୍ରୀଙ୍କୁ କାନ୍ଦି କାନ୍ଦି ଗୁହାରି କରିଥିଲେ। ପରେ ଉକ୍ତ ମହିଳା ନେତ୍ରୀଙ୍କ ସହ ଧରୁଆଡିହି ଥାନାକୁ ଯାଇ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ନଶୁଣି ତାଙ୍କୁ ଫେରାଇ ଦେବାରୁ ଗତ ୫ ତାରିଖରେ ଏସପିଙ୍କୁ ଫେରାଦ ହୋଇଥିଲେ। ଏହା ପରେ ଧରୁଆଡିହି ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ନାବାଳିକାଙ୍କ ୧୬୪ ବୟାନ ରେକର୍ଡ କରି ସଦରଥାନା ନିକଟ ଆଭା ଆସ୍ଥା ଗୃହରେ ରଖାଯାଇଛି।

Leave A Reply

Your email address will not be published.